ଧୋନିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ଅହମଦାବାଦ: ଧୋନିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୁକ୍ତ ନାବାଳକ ଗିରଫ। ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିବାଙ୍କୁ ସୋସିଆଲ୍ ମିଡିଆରେ ଅଶ୍ଳୀଳ କମେଣ୍ଟ କରୁଥିବା ବ୍ୟକ୍ତିକୁ ଗୁଜୁରାଟର କଚ୍ଛ ଜିଲ୍ଲାରୁ ଗିରଫ କରାଯାଇଛି। କଚ୍ଛ ପୋଲିସର କହିବା ଅନୁସାରେ, ଏହି ବ୍ୟକ୍ତି କୋଲକାତା ନାଇଟ୍ ରାଇଡର୍ସ ବିରୋଧରେ ଚେନ୍ନାଇ ସୁପର କିଙ୍ଗସକୁ ମିଳିଥିବା ପରାଜୟ ଯୋଗୁଁ ରାଗି ଯାଇଥିଲା। ସେହି ରାଗରେ ସେ ଧୋନିଙ୍କ ୫ବର୍ଷ ବୟସର ଝିଅ ଜିବାଙ୍କୁ ଦୁଷ୍କର୍ମ ଧମକ ଦେଇଥିଲେ।
ଗୁଜୁରାଟ ପୋଲିସ୍ ସୋସିଆଲ ମିଡିଆ ଆକ୍ଟ ଅନୁସାରେ ଅଭିଯୁକ୍ତକୁ ଗିରଫ କରିଛି। ଖୁବ୍ ଶୀଘ୍ର ତାକୁ ରାଞ୍ଚି ପୋଲିସ୍ ହେପାଜତରେ ହସ୍ତାନ୍ତର କରାଯିବ। ଆଶ୍ଚର୍ଯ୍ୟର କଥା ଯେ, ଗିରଫ କରାଯାଇଥିବା ଅଭିଯୁକ୍ତ ଜଣେ ନାବାଳକ ଏବଂ ଦ୍ବାଦଶ ଶ୍ରେଣୀରେ ପଢ଼େ।
ସୂଚନାଯୋଗ୍ୟ, ଗତ ଗୁରୁବାର ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଆଇପିଏଲ୍ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୧୬୭ରନ୍ କରିଥିଲା। ଏହା ପରେ ଚେନ୍ନାଇ ସୁପର କିଙ୍ଗସ୍ ୧୫୭ରନ୍ କରିଥିଲା ଏବଂ କୋଲକାତା ନାଇଟ ରାଇଡର୍ସକୁ ୧୦ରନର ବିଜୟ ହାସଲ ହୋଇଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ନାବାଳକ ସୋସିଆଲ ସାଇଟରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଧମକ ଦେଇଥିଲା ଏବଂ ତାଙ୍କୁ ଅଶ୍ଳୀଳ କମେଣ୍ଟ ଦେଇଥିଲେ।