ଫେଲ୍ ମାରିଲା ଲୁଟ୍ ଉଦ୍ୟମ, ଜଣେ ଅଟକ

ବଲାଙ୍ଗିର: ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ର ବୁଧବାର ରାତି ସାଢେ ୧୨ଟା ବେଳେ ବଲାଙ୍ଗିରରୁ ନିଜ ଗାଁ ସାଲେଭଟାକୁ କାରରେ ଜାତୀୟ ରାଜପଥ-୨୬ରେ ଫେରୁଥିଲେ। ଗାନ୍ଧୀନଗର ପଡ଼ା ମାଧିଆପାଲି ମଝିରେ ୪ଜଣ ଯୁବକ ରାସ୍ତା କଡରୁ ଆସି ଅଚାନକ ତାଙ୍କ କାର୍ ସାମ୍ନାକୁ ଚାଲି ଆସିଥିଲେ। ସେମାନେ ଗାଡିକୁ ପିଟାପିଟି କରିବା ସହ ଗାଳିଗୁଲଜ କରିଥିଲେ। ତାଙ୍କୁ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ।
ତେବେ ସାମ୍ନାରୁ ଏକ ଗାଡ଼ି ଆସିବାରୁ ଚତୁରତାର ସହ ଶ୍ରୀ ମିଶ୍ର ଗାଡ଼ି ଆଗକୁ ବଢାଇ ନେଇ ନିକଟସ୍ଥ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ସେଠାରୁ ଦୁଇଜଣ କର୍ମଚାରୀଙ୍କୁ ଧରି ଘଟଣାସ୍ଥଳକୁ ଆସିଥିଲେ। ଠିକ୍ ସେହି ସମୟରେ ଟାଉନ୍ ଥାନା ପିସିଆର୍ ମଧ୍ୟ ଜାତୀୟ ରାଜପଥ-୨୬ ଦେଇ ଯାଉଥିଲା। ୨ଜଣ ଯୁବକ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ଆଉ ୨ଜଣ ଯୁବକ ରାସ୍ତାରେ ଚାଲି ଚାଲି ଯାଉଥିଲେ। ସେମାନଙ୍କୁ ପଚାରିବାରୁ ଡାକ୍ତରଖାନା ଯାଉଛୁ ବୋଲି କହିଥିଲେ। କିନ୍ତୁ ଶ୍ରୀ ମିଶ୍ର ପୁଲିସକୁ କହିଥିଲେ ଯେ ଏହି ୨ଜଣ ଯୁବକ ମଧ୍ୟ ଗାଡି ଅଟକାଇ ଲୁଟ୍ ଉଦ୍ୟମ କରିଥିଲେ।
ଏହାପରେ ୨ଜଣ ଯୁବକ ସେଠାରୁ ଦୌଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ କର୍ମଚାରୀ ଓ ପୁଲିସ ଜଣଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ଶ୍ରୀ ମିଶ୍ର ଟାଉନ୍ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ଘଟଣା ସଂପର୍କରେ ଅଧିକ ତଥ୍ୟ ପାଇଁ ଯୋଗାଯୋଗ କରାଯାଇଥିଲେ ବି ପ୍ରତିକ୍ରିୟା ମିଳି ପାରି ନାହିଁ।