ସାରୁଅ ଜମି କେଳେଙ୍କାରୀ ମାମଲାରେ ଆଉ ଜଣେ କର୍ମଚାରୀ ଗିରଫ

ଭୁବନେଶ୍ବର: ସାରୁଅ ଜମି ଦୁର୍ନୀତି ମାମଲାରେ ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଶିବପ୍ରସାଦ ଶ୍ରୀଚନ୍ଦନ। ଏନେଇ ଶିବପ୍ରସାଦଙ୍କୁ ଗିରଫ କରି ପଚରାଉଚରା କରୁଛି ଇଓଡବ୍ଲୁ। ଶିବପ୍ରସାଦଙ୍କ ହାତରେ ଥିଲା ଓଡ଼ିଶା ଇନଫ୍ରାଟେକର ପାୱାର ଅଫ ଆଟର୍ଣ୍ଣ।
ପ୍ରକାଶ ଯେ, ଗତକାଲି ଖୋର୍ଦ୍ଧା ସାରୁଅ ଜମି ଦୁର୍ନତି ମାମଲାରେ କ୍ରାଇମବ୍ରାଞ୍ଚ ଓଟିଭର ସିଏଫଓ ତଥା ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ ଅଧିକ ପଚରାଉଚରା ପାଇଁ ୨ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ଏଜେନ୍ସି। ମନୋରଂଜନ ଷଡଙ୍ଗୀଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଯାଇଛି। ତେବେ କିଭିଳି ହୋଇଥିଲା ସାରୁଅ ଜମି ଦୁର୍ନୀତି ସେ ନେଇ ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି।
ସୂଚନାଯୋଗ୍ୟ ଯେ, ୨୦୧୦ ମସିହାରେ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ପଦରୁ ଓଟିଭି ଏମଡି ଜାଗିମଙ୍ଗତ ପଣ୍ଡା ଇସ୍ତଫା ଦେବା ପରେ ମନୋରଞ୍ଜନ ଷଡଙ୍ଗୀ ଓ ବିଭୁ ରଥଙ୍କୁ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିଲା। ଏହାପରେ ଜୁନ ୨୦୧୦ ଠାରୁ ସଂପୃକ୍ତ କମ୍ପାନୀ ଖୋର୍ଧାର ସାରୁଅରେ ଜମି କିଣିବା ପ୍ରକ୍ରିୟା ଆରମ୍ଭ କରିଥିଲା ।
ସେଠାରେ ଥିବା କିଛି ଅନୁସଚିତ ଜାତିଙ୍କ ଜମି କିଣିଥିଲା କମ୍ପାନୀ। ଆଇନ ଅନୁସାରେ, ଅନୁସୂଚିତ ଜାତି ଓ ଜନଜାତିଙ୍କ ବ୍ୟକ୍ତିଙ୍କ ନାଁରେ ଥିବା କୌଣସି ଜମିକୁ ଏକ ସାଧାରଣ ବର୍ଗର ବ୍ୟକ୍ତି କିଣିପାରିବ ନାହିଁ। ଆଉ କିଣାବିକା ହେଲେ ସଂପୃକ୍ତ ଜାତି ଓ ଜନଜାତି ଯେଭଳି ଭୂମିହୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ରଖାଯିବା ଜରୁରୀ। ତେବେ ୨୦୧୦ରୁ ୨୦୧୩ ମଧ୍ୟରେ ଏହି ଜମିକୁ ଶାଗମାଛ ଦରରେ କିଣାଯାଇଥିଲା। ଆଉ କମ୍ପାନୀର ଜଣେ ନିର୍ଦ୍ଦେଶକଙ୍କଠାରେ ଜଣେ ଡ୍ରାଇଭର ଥିବା ରବି ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଏହାକୁ କିଣାଯାଇଥିଲା।
କିନ୍ତୁ ଜମିର ମାଲିକାନା ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ନାଁରେ କରାଯାଇଥିଲା। ରବିଙ୍କ ବୟାନ ଅନୁସାରେ, ତାଙ୍କ ଅଜାଣତରେ ବିଭିନ୍ନ କାଗଜପତ୍ରରେଦସ୍ତଖତ ନିଆଯାଇଥିଲା। ସେଲଡିଡରେ ଜମିର ମୂଲ୍ୟ ୬୫ ଲକ୍ଷ ଦର୍ଶାଯାଇଥିବାବେଳେ ତାଙ୍କୁ ୨ରୁ ୩ ଲକ୍ଷ ଦିଆଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା।