ଦେଶରେ ବୃଦ୍ଧି ପାଉଛି ପୁଷ୍ଟିହୀନତା ହାର

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ବଢିବାରେ ଲାଗିଛି ପୁଷ୍ଟିହୀନତା। ଅପପୃଷ୍ଟିର ଶିକାର ହେଉଛନ୍ତି ୫ ବର୍ଷରୁ କମ୍ ବୟସର ଶିଶୁ। ଶିଶୁମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଚିନ୍ତାଜନକଭାବେ ବଢିଛି ବୋଲି ୫ମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରୁ ଜଣାପଡ଼ିଛି । ମାତ୍ର ନବଜାତ ଶିଶୁ ଓ ୫ ବର୍ଷରୁ କମ ଶିଶୁ ମୃତ୍ୟୁ ହାରରେ ଉଲ୍ଲେଖନୀୟ ହ୍ରାସ ହୋଇଛି।
୨୦୧୫-୧୬ରେ ହୋଇଥିବା ୪ର୍ଥ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ତୁଳନାରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି। ସେହିପରି ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୫ ବର୍ଷରୁ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି। ୫ମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭ ରିପୋର୍ଟକୁ ଶନିବାରଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଉନ୍ମୋଚନ କରିଥିଲେ। ଏଥର ଦେଶବ୍ୟାପି ପ୍ରାୟ ୬.୧ ଲକ୍ଷ ପରିବାରକୁ ନେଇ ଏହି ସର୍ଭେ କରାଯାଇଛି।
ଏହି ସର୍ଭେର୍ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଦେଶର ପ୍ରମୁଖ ରାଜ୍ୟଗୁଡ଼ିକରେ ପ୍ରଜନନ ହାର ହ୍ରାସ ପାଇଛି। ଏହା ସହିତ ଗର୍ଭନିରୋଧ ଔଷଧ ସେବନ ମାତ୍ରା ମଧ୍ୟ ବଢିଯାଇଛି। ୧୨ରୁ ୨୩ ମାସ ଶିଶୁଙ୍କ ମଧ୍ୟରେ ଟିକାକରଣ ବୃଦ୍ଧି ପାଇଛି ବୋଲି ଏହି ସର୍ଭେରୁ ଜଣାପଡ଼ିଛି।