ସାଇବର ଠକେଇର ଶିକାର ହେଲେ ଯୁବକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ। ସାଇବର ଠକଙ୍କ ଦ୍ବାରା ୧୬ ଲକ୍ଷ ୩୨ ହଜାର ଟଙ୍କାର ଠକେଇର ଶିକାର ହୋଇ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ କିରୋସିନ୍ ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଗିରଫ କରିଛି। ଯୁବକ ଜଣଙ୍କ ଖୋର୍ଦ୍ଧା ବୋଲଗଡ ଥାନା ବାଙ୍କୋଇ ଗ୍ରାମର ବ୍ରଜବନ୍ଧୁ ସାହୁ।
ସାଇବର ଠକେଇର ଶିକାର ହୋଇଛନ୍ତି ବ୍ରଜବନ୍ଧୁ। ଏ ନେଇ ସେ ଗତ ୧୫ ଦିନ ତଳେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଦେଶୀ ୱେବସାଇଟରେ ୧୬ ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇ ଗତ ୧୫ ଦିନ ତଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ।
ଏହି ଘଟଣାର ତଦନ୍ତ କରି ଟଙ୍କା ଫେରାଇବାକୁ ଜିଲ୍ଲାପାଳଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ହେଲେ ଏପର୍ଯ୍ୟନ୍ତ ସେ ଟଙ୍କା ଫେରି ପାଇନାହାନ୍ତି। ତେଣୁ ବାଧ୍ୟ ହୋଇ ବ୍ରଜବନ୍ଧୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି।