ରାଉରକେଲାରେ ୫ଟି ସଚିବ ଭି.କେ ପାଣ୍ଡିଆନ୍

ଭୁବନେଶ୍ବର: ରାଉରକେଲାରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ। ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମର ସ୍ଥାନ ପରିଦର୍ଶନ କଲେ ଫାଇଭ ଟି ସଚିବ। ୨୦୨୨ ସୁଦ୍ଧା ଏହି ଷ୍ଟାଡିୟମର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ଏହି ସ୍ଥାନର ଅନୁଧ୍ୟାନ କରାଯାଇଛି। ବିପିୟୁଟି ପରିସରରେ ହେବାକୁ ଥିବା ଏହି ପ୍ରସ୍ତାବିତ ଷ୍ଟାଡିୟମ ଉଭୟ ଖେଳାଳୀ ଓ ଦର୍ଶକଙ୍କୁ ଯେମିତି ବିଶ୍ୱ ସ୍ତରୀୟ ଅନୁଭୂତି ପ୍ରଦାନ କରି ପାରିବ ସେନେଇ ତାହାର ଡିଜାଇନ ଉପରେ ଗୁରୁତ୍ୱ ଦିଆଯାଇଛି ।
ତେବେ ଫାଇଭ ଟି ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କ୍ରୀଡା ଓ ଯୁବସେବା ବିଭାଗର ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ଷ୍ଟାଡିୟମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟପଟେ ଗତମାସ ରାଉରକେଲାରେ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ହେବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆ ଷ୍ଟାଡିୟମ ଜାନୁୟାରୀ ୨୦୨୩ରେ ଓଡିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପର ଅନ୍ୟତମ ଆୟୋଜନ ସ୍ଥଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ତେବେ ଏକା ସାଙ୍ଗରେ ଏହି ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସି ଖେଳ ଦେଖିପାରିବାର ସୁବିଧା କରାଯିବ ଯାହା ହକିର ହବ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଉ ରାଜ୍ୟ ସରକାରଙ୍କ ଏକ ହାଇଲେଭଲ ଟିମ୍ ପ୍ରକଳ୍ପ ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଉରକେଲା ପୂର୍ବରୁ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପହଞ୍ଚି ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାଶ୍ୱିର୍କ ଉନ୍ନତୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ। ସେହିପରି ସମଲେଶ୍ୱରୀ ପୀଠର ବିକାଶ ପାଇଁ ହୋଇଥିବା ବ୍ଲୁ-ପ୍ରିଂଟର ଅନୁଧ୍ୟାନ କରିଛନ୍ତି ଭି.କେ ପାଣ୍ଡିଆନ୍।