Odisha Link
Bridging the Missing Links in Odisha

ବନ୍ଦନା ପଣ୍ଡାଙ୍କ ‘ଫେରନ୍ତା ଗାଡ଼ି ଓ ଅନ୍ୟାନ୍ୟ ଗଳ୍ପ’ ଲୋକାର୍ପିତ

ଭୁବନେଶ୍ବର: ବହିର ଜନ୍ମ ଗୋଟେ ନକ୍ଷତ୍ରର ଜନ୍ମ ପରି। ସବୁ ନକ୍ଷତ୍ର ଉଜ୍ବଳ ଦେଖାଯାନ୍ତିନି। ସେହିଭଳି ପ୍ରତିକୂଳ ପରିସ୍ଥିତିରେ ଅନେକ ଲେଖକ ଲେଖିକା ମରିଯା’ନ୍ତି। ଜଣେ ନାରୀ ଲେଖିକାର ଜୀବନ ବହୁତ କଠିନ। କାରଣ ପରିବାରର ସମସ୍ତ ଜଞ୍ଜାଳ ଭିତରେ ସେ ତା’ର ସୃଷ୍ଟି ସରଞ୍ଚନା କରିଥାଏ। ଆଜି ଲେଖିକା ବନ୍ଦନାଙ୍କ ବହିରୂପୀ ନକ୍ଷତ୍ରର ଜନ୍ମ। ସେ ଜଣେ ନୂଆ ଲେଖିକା ହୋଇଥିବାରୁ ବହୁତ କିଛି ନୂଆ କଥା ଲେଖି ପାରିଛନ୍ତି। ପ୍ରତିଟି ଗପରେ କରୁଣା ଭରି ରହିଛି। ‘ପେନ୍‌ ଇନ୍‌ ବୁକ୍ସ’ ପ୍ରକାଶନ ସଂସ୍ଥା ପକ୍ଷରୁ ଆୟୋଜିତ ବନ୍ଦନା ପଣ୍ଡାଙ୍କ ଗଳ୍ପ ସଂକଳନ ‘ଫେରନ୍ତା ଗାଡ଼ି ଓ ଅନ୍ୟାନ୍ୟ ଗଳ୍ପ’ର ଉନ୍ମୋଚନ ଉତ୍ସବରେ ବିଶିଷ୍ଟ କଥାକାର ଗୌରହରି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେ ଆହୁରି କହିଥିଲେ ଯେ, ସହଜରେ ଗପମାନେ ଆସନ୍ତିନି। ନିର୍ଜନତା ଭିତରେ, ସଞ୍ଜବତୀ ପାଖରେ, ଜହ୍ନ ଆଲୁଅ ଛାଇରେ, ବର୍ଷାରେ ଭିଜିଲେ ଗପ ବଉଳେ। ସେହିଭଳି ଶବ୍ଦ ସହ ଆନ୍ତରିକତା ଓ ଅଙ୍ଗୀକାର ବଦ୍ଧତା ରହିଲେ ତାହା ହୃଦୟକୁ ସ୍ପର୍ଶ କରିଥାଏ। ଏହି ଉପାଦାନ ଗୁଡ଼ିକର ଅଭାବ ରହିଲେ, ତା’ ଶବ ପାଲଟିଯାଏ।

ସେହିପରି ମୁଖ୍ୟବକ୍ତା ସାହିତ୍ୟିକା ହିରଣ୍ମୟୀ ମିଶ୍ର କହିଛନ୍ତି, ଗପର ମଞ୍ଜି ଅନେକ ଦିନ ଧରି ନିଜ ଭିତରେ ବପନ ହୋଇଥାଏ। ପରବର୍ତ୍ତୀ ମୁହୂର୍ତ୍ତରେ ତା’ ଲେଖକକୁ ଅଥୟ କରେ ଓ ତାହା ଏକ ପରିପୃଷ୍ଠ ଲେଖା ହୋଇ ଭୂମିଷ୍ଠ ହୁଏ। ନିଜ ଲେଖା କେ‌ତେ ପ୍ରସିଦ୍ଧି ପାଇବ ସେଥିପାଇଁ ଚିନ୍ତା କରିବାର ଅବକାଶ ଆ‌ଦୌ ନାହିଁ। ମନର ଭାବନକୁ ବ୍ୟକ୍ତ କରିଦେବାର ଆବଶ୍ୟକତା ରହିଛି।

ବିଶିଷ୍ଟ ଅତିଥି କଥାକାର ତଥା ଶିକ୍ଷାବିତ୍‌ ତପନ ପଣ୍ଡା କହିଛନ୍ତି, ସୃଜନ ପ୍ରକ୍ରିୟା ଗୋ‌ଟେ ବୁଢ଼ା ନାଗ ସାପ। ତାକୁ ଜଣେ ଲେଖକ ରା‌ମ୍ପିବା ଆବଶ୍ୟକ। ତେବେ ଯାଇ ଗୋଟିଏ ସୁନ୍ଦର ଲେଖାଟିଏ ନିଜ ଭିତରୁ ବାହାରିଥାଏ। ସମ୍ମାନିତ ଅତିଥି ବରିଷ୍ଠ କବି ପ୍ରଭାସିନୀ ମହାକୁଡ଼ କହିଛନ୍ତି, ଲେଖକ ଲେଖିକା ହେବା ପାଇଁ ନିଜ ଭିତରର ପ୍ରତିଭାର ଆବଶ୍ୟକତା ରହିଛି। ପ୍ରତିଭା ଥିଲେ ସୃଜନଶୀଳତା ପ୍ରସ୍ଫୁଟିତ ହୁଏ। ସେହିଭଳି ଲେଖକ ସବୁବେଳେ ଦୃଷ୍ଟିଭଙ୍ଗୀକୁ ଗୁରୁତ୍ବ ଦେଇ ଧର୍ଯ୍ୟର ସହ ଲେଖିବାର ଆବଶ୍ୟକତା ରହିଛି। ଏହି ଅବସରରେ ଲେଖିକା ବନ୍ଦନା ପଣ୍ଡା ନିଜର ଲେଖକୀୟ ଅନୁଭୂତି ବଖାଣିଥିଲେ। ଏସେଲ ମାଇନିଂର ବରିଷ୍ଠ ସଭାପତି ତଥା ଲେଖିକାଙ୍କ ପତି ପ୍ରସନ୍ନ କୁମାର ପଣ୍ଡା ଏ ଅବସରରେ ବକ୍ତବ୍ୟ ରଖିଥିଲେ। ଏ ଅବସରରେ ବହିର ଶୀର୍ଷକ ଗଳ୍ପ “ଫେରନ୍ତା ଗାଡ଼ି”କୁ ଚଳଚ୍ଚିତ୍ର ରୂପ ଦେବେ ବୋଲି ଘୋଷଣା କରିଥିଲେ ଯୁବ ନିର୍ଦେଶକ ଓ ଅଭିନେତା ଲିକୁନ ଚୌଧୁରୀ। କବି ଗିରୀଶ ରଞ୍ଜନ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଶେଷରେ ବ୍ୟଙ୍ଗକବି ଡଃ କୁଳାଙ୍ଗାର ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.