ରାଜ୍ୟରେ ଚାଷୀ ପରିବାରର ମାସିକ ଆୟ ବୃଦ୍ଧି ହୋଇଛି: କୃଷିମନ୍ତ୍ରୀ
୨୦୧୯ରେ ସର୍ବେକ୍ଷଣ ସମୟରେ ସାମୁଦ୍ରିକ ଘୁର୍ଣ୍ଣିଝଡ଼ ଫନି, ତିତିଲି ପରି ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାରୁ ଚାଷୀଙ୍କ ଆୟ ପ୍ରଭାବିତ କରିଛି।

ଓଏଲ୍ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଧାନସଭା ଅଧିବେଶନରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଚାଷୀଙ୍କ ଆୟକୁ ନେଇ ବିବୃତି ରଖି କହିଛନ୍ତି ଯେ, ରାଜ୍ୟରେ ଚାଷୀ ପରିବାରର ମାସିକ ଆୟ ବୃଦ୍ଧି ଘଟିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଦିଆଯାଉଛି।
ବାତ୍ୟା ଓ ମରୁଡି ଚାଷୀଙ୍କ ଆୟରେ ବାଧକ ସାଜିଛି। ୨୦୧୯ରେ ସର୍ବେକ୍ଷଣ ସମୟରେ ସାମୁଦ୍ରିକ ଘୁର୍ଣ୍ଣିଝଡ଼ ଫନି, ତିତିଲି ପରି ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାରୁ ଚାଷୀଙ୍କ ଆୟ ପ୍ରଭାବିତ କରିଛି। ୨୦୧୨ରେ ଚାଷୀ ପରିବାରର ମାସିକ ଆୟ ୪୯୭୬ ଟଙ୍କା ଥିଲା ବେଳେ ୨୦୧୯ରେ ଏହା ୫୦୧୨ ଟଙ୍କାକୁ ବୃଦ୍ଧିପାଇଛି। ତେବେ ଏନେଇ ବିଧାନସଭା ଅଧିବେଶନରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।
କୃଷିମନ୍ତ୍ରୀ କହିଛନ୍ତି ଯେ, ଚାଷୀଙ୍କ ଆୟ ନିର୍ଦ୍ଧାରଣ ସର୍ଭେ ପ୍ରତି ୧୦ ବର୍ଷରେ ହେଉଥିଲା। ହଠାତ ଏହାକୁ ୬ ବର୍ଷ କରାଗଲା। ଭାଗଚାଷୀଙ୍କୁ ପୂର୍ବରୁ ସରକାରୀ ସୁବିଧା ମିଳୁ ନଥିଲା। ଗତ କିଛି ଦିନ ହେବ ଫସଲ ଋଣ, ସାର, ବିହନ, କୀଟନାଶକ ପ୍ରଦାନ କରାଯାଉଛି। ଭାଗଚାଷୀଙ୍କ ପାଇଁ ବଳରାମ ଯୋଜନା କରାଯାଇଛି। ରାଜ୍ୟରେ ୯ ଲକ୍ଷ ୫ ହଜାର ୧୯୪ ଭାଗଚାଷୀ ଅଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି।