‘ପାଣ୍ଡବ ତ ନ୍ୟାୟ ଧର୍ମରେ ରହିଥିଲେ, ବିଜେଡି ବି ନ୍ୟାୟ ଧର୍ମରେ ଅଛି’
ସେମାନେ ପାଣ୍ଡଵ ଶିବିରରେ ରହି ଶକୁନି କାମ କରୁଛନ୍ତି।

ଓଏଲ୍ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଚାଲିଛି ଆଲୋଚନା। ତେବେ ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବା ଏବଂ ବିଜେଡି ତାଙ୍କୁ ଅବହେଳା କରିବା ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଛି। ଧର୍ମେନ୍ଦ୍ର ଏବଂ ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଜବାବ ରଖିଛନ୍ତି ବିଜେଡି ବିଧାୟକ ଭାଗିରଥୀ ସେଠୀ। ଜୟନାରାୟଣ କହିଥିବା ପାଣ୍ଡବ ଓ କୌରବ ପ୍ରସଙ୍ଗକୁ ନେଇ ଭାଗିରଥୀ କହିଛନ୍ତି, ସେ ବହୁତ ମହାଭାରତ କଥା ଜାଣିଛନ୍ତି।
ସେ ଯଦି କୌରବ ତେବେ ପାଣ୍ଡଵ କିଏ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଭାଗିରଥୀ। ସେମାନେ ପାଣ୍ଡଵ ଶିବିରରେ ରହି ଶକୁନି କାମ କରୁଛନ୍ତି। ଓଡିଶାକୁ ନଷ୍ଟ କରିବା ପାଇଁ ଶକୁନିର ଭୂମିକା ନିର୍ବାହ କରୁଛନ୍ତି। ପାଣ୍ଡବ ତ ନ୍ୟାୟ ଧର୍ମରେ ରହିଥିଲେ, ବିଜେଡି ବି ନ୍ୟାୟ ଧର୍ମରେ ଅଛି।
ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବା କଥାକୁ ନେଇ ବିଜେଡି ବିଧାୟକ ଭାଗିରଥୀ କହିଛନ୍ତି, ଧର୍ମେନ୍ଦ୍ର ବହୁତ କଥା କହୁଛନ୍ତି, ସେ ତାଙ୍କ ନିଜ ଦଳ କଥା ବୁଝନ୍ତୁ। ତାଙ୍କ ଦଳରେ ନେତାଙ୍କ ଭିତରେ ଅନେକ ଫାଟ ଅଛି। ଭର୍ତ୍ତୃହରି ବାବୁଙ୍କ କଥା କାହିଁକି ଚିନ୍ତା କରୁଛନ୍ତି। ଭର୍ତ୍ତୃହରି ବାବୁ ୬ ଥର ସାଂସଦ ହେଲେଣି, ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ସୁସମ୍ପର୍କ ରହିଛି। ସେ ଦଳରେ ବର୍ତମାନ ଅଛନ୍ତି ଏବଂ ରହିବେ ମଧ୍ୟ। ବିଜେଡି ଭର୍ତ୍ତୃହରିଙ୍କ ପ୍ରତି କେବେ ଅବହେଳା କରିନାହିଁ ବୋଲି ବିଜେଡି ବିଧାୟକ ଭାଗିରଥୀ କହିଛନ୍ତି।