ଶେଷ ହେଲା ମାଟ୍ରିକ ଖାତାଦେଖା, ଦେଢ଼ ମାସ ଭିତରେ ପ୍ରକାଶ ପାଇବ ରେଜଲ୍ଟ
କେବେ ବାହାରିବ କହି ହେବନି, ତଥାପି ଶୀଘ୍ର ସାରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି।

ଓଏଲ୍ ବ୍ୟୁରୋ: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆସନ୍ତା ଦେଢ଼ ମାସ ମଧ୍ୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ମାଟ୍ରିକ ଖାତା ଦେଖା ସରିଥିବା ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି। ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଛି। ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ନେଇ ନିର୍ଦ୍ଦେଶ ରହିଛି। କେବେ ବାହାରିବ କହି ହେବନି, ତଥାପି ଶୀଘ୍ର ସାରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଅନ୍ୟ ବୋର୍ଡ ତୁଳନାରେ ଆଗୁଆ ବାହାର କରିବାକୁ ଆଶାବାଦୀ। ସୋସିଆଲ ସାଇନ୍ସ ବି ସେଟ୍ ତ୍ରୁଟିକୁ ନେଇ ବିଚଳିତ ହୁଅନ୍ତୁ ନାହିଁ। ୩ରୁ ୫ ହଜାର ପିଲା ପ୍ରଭାବିତ ହୋଇଥିଲେ, ସର୍ଟଆଉଟ ହୋଇଛି ବୋଲି ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି।
ଖବର ଅନୁସାରେ, ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଟ୍ରିକ ରେଜଲ୍ଟ ନେଇ ଏକ ବଡ଼ ଘୋଷଣା କରିଥିଲେ। ମେ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ଶେଷ ହୋଇଥିଲା ମାଟ୍ରିକ ବୋର୍ଡ ପରୀକ୍ଷା। ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେଉଥିବାବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପରୀକ୍ଷା ଖାତା ମୂଲ୍ୟାୟନ କରିଛନ୍ତି। ମାଟ୍ରିକ ପରୀକ୍ଷା ଖାତା ଦେଖା ଶେଷ ହୋଇସାରିଛି। ବର୍ତ୍ତମାନ ଟାବୁଲେସନ୍ ଚାଲିଛି। ବୋର୍ଡ ପକ୍ଷରୁ ରେଜଲ୍ଟ ପ୍ରକାଶ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ତେଣୁ ଆସନ୍ତା ମେ ମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।