Odisha Link
Bridging the Missing Links in Odisha

ତଥ୍ୟ ଲୁଚାଉଥିଲେ ସାହିତ୍ୟ ଏକାଡେମି, ଓଡ଼ିଆ ଲେଖକଙ୍କ ଦାବି ଆଗରେ ମୁଣ୍ଡ ନୋଇଁଲେ କର୍ତୃପକ୍ଷ

ଭୁବନେଶ୍ବର: ବର୍ଷ ବର୍ଷ ଧରି ତଥ୍ୟ ଲୁଚାଉଥିଲେ କେନ୍ଦ୍ର ସାହିତ୍ୟ ଏକାଡେମି। ଏକାଡେମି ପକ୍ଷରୁ ଦିଆଯାଉଥିବା ବିଭିନ୍ନ ପୁରସ୍କାର ବାବଦରେ ତଥ୍ୟ ସର୍ବସାଧାରଣରେ ଜଣାଇବାର ବ୍ୟବସ୍ଥା ଥିଲେ ବି ବର୍ଷ ବର୍ଷ ଧରି ଚାଲିଥିଲା ମନମୁଖୀ କାର୍ଯ୍ୟକଳାପ। ଏକାଡେମିର କୌଣସି ଏକ ପୁରସ୍କାର କିଏ ପାଇଲେ, ତାହା ସମସ୍ତେ ଜାଣୁଥିଲେ। ତେବେ ପୁରସ୍କାର ଚୟନ କମିଟିରେ କେଉଁମାନେ ଅଛନ୍ତି, ଚୂଡ଼ାନ୍ତ ପର୍ଯ୍ୟାୟରେ କେଉଁମାନଙ୍କର କେଉଁ ବହି ଉପସ୍ଥାପିତ ହୋଇଛି ତାହା ଗୋପନ ରହୁଥିଲା। ତେବେ ଏ ନେଇ ଓଡ଼ିଆ ଲେଖକଙ୍କ ଦାବି ପରେ ଏକାଡେମି କର୍ତୃପକ୍ଷ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ଏଣିକି ଚୟନ କମିଟି ସଦସ୍ୟଙ୍କ ନାମ ଓ ଚୂଡ଼ାନ୍ତ କ୍ଷୁଦ୍ର ତାଲିକାରେ ସ୍ଥାନ ପାଇଥିବା ପୁସ୍ତକର ନାମ ମଧ୍ୟ ଘୋଷଣା କରାଯିବ ବୋଲି ଏକାଡେମି କର୍ତୃପକ୍ଷ କହିଛନ୍ତି। ଏ ନେଇ ପତ୍ରାଳାପର ପ୍ରମାଣ ଆମର ବିଳମ୍ବରେ ହସ୍ତଗତ ହୋଇଛି।

ସାହିତ୍ୟ ଏକାଡେମିର ନିୟମ ମୁତାବକ ସେମାନେ ଦେଉଥିବା ଯେ କୌଣସି ପୁରସ୍କାର ଘୋଷଣା ବେଳେ ଚୂନାନ୍ତ ତାଲିକାରେ ସ୍ଥାନ ପାଇଥିବା ଅଥଚ ପୁରସ୍କାରରୁ ବାଦ ପଡ଼ିଥିବା ବହିଗୁଡ଼ିକର ନାମ ମଧ୍ୟ ଘୋଷଣା କରାଯିବା କଥା। ଏହା ସହ ସେହି ପୁରସ୍କାର ଚୟନ ପ୍ରକ୍ରିୟାରେ ସଂପୃକ୍ତ ଚୟନ କମିଟିର ସଦସ୍ୟମାନଙ୍କ ନାମ ମଧ୍ୟ ଘୋଷଣା କରାଯିବା ବିଧେୟ। ତେବେ କିଛି ବର୍ଷ ଧରି ଏକାଡେମି କର୍ତୃପକ୍ଷ ସେସବୁ ଗୋପନ ରଖୁଥିଲେ। ଏପରିକି ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ଦେଉ ନଥିଲେ ଅଥବା ବହୁ କଷ୍ଟରେ ଦେଉଥିଲେ।

ଏ ସମ୍ପର୍କରେ ସାହିତ୍ୟ ଏକାଡେମି ସଚିବଙ୍କ ଦୃଷ୍ଟି ଆକର୍ଷଣ କରି ୧୯ ମାର୍ଚ୍ଚ ୨୦୧୯ରେ ଭୁବନେଶ୍ବରର ଲେଖକ ତଥା ସାହିତ୍ୟାନୁରାଗୀ ନରେନ୍ଦ୍ର ନାରାୟଣ ଦାଶ ଏକ ପତ୍ର ଲେଖିଥିଲେ। ତୁରନ୍ତ ଏ ବାବଦରେ ପଦକ୍ଷେପ ନେବାକୁ ଶ୍ରୀ ଦାଶ ନିଜ ଚିଠିରେ ଏକାଡେମି ସଚିବଙ୍କୁ ଅନୁରୋଧ କରିଥିଲେ। ସେହି ମାସ ୨୭ ତାରିକରେ ଏ ନେଇ ସଚିବ କେ ଶ୍ରୀନିବାସ ରାଓ ଶ୍ରୀ ଦାଶଙ୍କୁ ଉତ୍ତର ଫେରାଇଥିଲେ। ଏଣିକି ଏକାଡେମିର କୌଣସି ପୁରସ୍କାର ଘୋଷଣା ସମୟରେ ଚୟନ କମିଟି ସଦସ୍ୟଙ୍କ ନାମ ଓ କଚୂଡ଼ାନ୍ତ କ୍ଷୁଦ୍ରତାଲିକାରେ ସ୍ଥାନ ପାଇଥିବା ବହିର ନାମ ମଧ୍ୟ ଘୋଷଣା କରାଯିବ ବୋଲି ଶ୍ରୀ ରାଓ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.