Odisha Link
Bridging the Missing Links in Odisha

ସେୟାର ବଜାର: ଗୋଟିଏ ଦିନରେ ୨.୫ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକାରୀ

ମୁମ୍ବାଇ: ସାରା ଦେଶରେ ମାନ୍ଦାବସ୍ଥାକୁ ନେଇ ଲାଗିରହିଛି ଚିନ୍ତା। ଏହାରି ଭିତରେ ସେୟାର ମାର୍କେଟରୁ ରିପୋର୍ଟ ଆସୁଛି ତାହା ମାନ୍ଦାବସ୍ଥା ଚିନ୍ତାକୁ ଆହୁରି ବଢାଇ ଦେଇଛି। କାରଣ ସେୟାର ମାର୍କେଟ ହୋଇଛି ପ୍ରଭାବିତ। ଗୋଟିଏ ଦିନର ଟ୍ରେଡିଂରେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କା ହରାଇଛନ୍ତି ନିବେଶକ। ୧୩୮ ଲକ୍ଷ ୪୨ ହଜାର କୋଟି ଟଙ୍କାର ସେୟାର ଚାହୁଁ ଚାହୁଁ ବଜାରରୁ ଗାଏବ ହୋଇ ଯାଇଥିଲା ୨ ଲକ୍ଷ ୫୫ ହଜାର କୋଟି ଟଙ୍କା। ଗତକାଲିର କାରବାରରେ ୫୨ ସପ୍ତାହର ରେକର୍ଡ ଭାଙ୍ଗି ସର୍ବନିମ୍ନ ସ୍ତର ଛୁଇଁଥିଲା ୨୦୦ଟି କମ୍ପାନିର ସେୟାର।

କାରବାର ଶେଷ ବେଳକୁ ୭୭୦ ପଏଣ୍ଟ ହ୍ରାସ ପାଇ ୩୬ ହଜାର ୫୬୩ ପଏଣ୍ଟରେ ବନ୍ଦ ହୋଇଥିଲା ସେନସେକ୍ସ। ସେହିପରି ୨୨୫ ପଏଂଟ ହ୍ରାସ ପାଇ ନିଫ୍ଟି ୧୦ ହଜାର ୭୯୮ ପଏଣ୍ଟରେ ବନ୍ଦ ହୋଇଛି । ସେପଟେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ମଧ୍ୟ ଗୋଟିଏ ଦିନରେ ୬୪ ପଇସା ହ୍ରାସ ପାଇଛି। ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇବା, ଉତ୍ପାଦନ କ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହେବା, ବିଶେଷ କରି ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଜାରି ରହିବା ଯୋଗୁଁ ସେୟାର ବଜାର ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି।

ସେୟାର ବଜାରରେ ବଡ଼ ହଲଚଲ। ୭୭୦ ପଏଣ୍ଟ ଖସିଲା ସେନସେକ୍ସ। ୨୨୫ ପଏଣ୍ଟ ହ୍ରାସ ପାଇଲା ନିଫ୍ଟି। ଗଣେଶ ପୂଜାରେ ସେୟାର ବଜାର ବନ୍ଦ ରହିବା ପରେ ଗତକାଲି ଯେତେବେଳେ କାରବାର ଆରମ୍ଭ ହେଲା, ନିବେଶକଙ୍କ ମୁଣ୍ଡ ଉପରେ ଚଡ଼କ ପଡିଗଲା। ପ୍ରାୟ ୨ ମାସର ରେକର୍ଡ ଭାଙ୍ଗି ଗୋଟିଏ ଦିନରେ ୭୭୦ ପଏଣ୍ଟ ଖସିଗଲା ସେନସେକ୍ସ।

ବମ୍ବେ ଷ୍ଟକ୍ ଏକ୍ସଚେଂଜରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଟାଟା ଷ୍ଟିଲ୍, ଟାଟା ମୋଟର୍ସ, ଇଣ୍ଡସଇଣ୍ଡ ବ୍ୟାଙ୍କ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର। ସେହିପରି ଏନଏସଇ ଅନ୍ତର୍ଭୁକ୍ତ ସରକାରୀ ବ୍ୟାଙ୍କ ଓ ମେଟାଲ୍ ଶିଳ୍ପର ସେୟାରରେ ବିପୁଳ କ୍ଷତି ସହିଛନ୍ତି ନିବେଶକ।

Comments are closed.