Odisha Link
Bridging the Missing Links in Odisha

‘ଓଡ଼ିଶା ପର୍ଯ୍ୟଟନ ସଂପଦର ପ୍ରଦର୍ଶନ ଓ ବିପଣନ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ସଂପଦରେ ଅନନ୍ୟ । ଅତୁଲ୍ୟ ଭାରତର ଆତ୍ମା ‘ଓଡ଼ିଶା’ର ପର୍ଯ୍ୟଟନ ସଂପଦ ଗୁଡ଼ିକର ଯଥାର୍ଥ ପ୍ରଦର୍ଶନ ଓ ବିପଣନ ଗୁରୁତ୍ୱ ପୂର୍ଣ୍ଣ । ଏହି ମର୍ମରେ ଦେଶ ଓ ବିଦେଶର ଟୁର ଅପରେଟରମାନେ ଓଡ଼ିଶାକୁ ଏକ ‘ ପ୍ରମୁଖ ଲକ୍ଷ୍ୟ’ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ସନ୍ଧ୍ୟାରେ ‘ଓଡ଼ିଆ ଟ୍ରାଭେଲ୍‌ ବଜାର’ର ତୃତୀୟ ସଂସ୍କରଣରେ ବୈଷୟିକ ଓ ବ୍ୟବସାୟିକ ଅଧିବେଶନ ଆରମ୍ଭରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପାଣିଗ୍ରାହୀ ଏହି ମର୍ମରେ ଦେଶ ଓ ବିଦେଶର ଟୁର ଅପରେଟରମାନଙ୍କୁ ଓଡ଼ିଶା ପାଇଁ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଓଡ଼ିଶା ଟ୍ରାଭେଲ୍‌ ବଜାର ରାଜ୍ୟ ପର୍ଯ୍ୟଟନ ବିଭାଗର ଏକ ତାତ୍ପର୍ଯ୍ୟ ପୂର୍ଣ୍ଣ ବାର୍ଷିକ କାର୍ଯ୍ୟକ୍ରମ ଭାବରେ ସ୍ୱୀକୃତ ହୋଇଛି । ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା ।
ଏହି ପ୍ରୟୋଜନରେ ବିଦେଶର ୨୬ଟି ଟୁର ଅପରେଟର ଓ ଜାତୀୟ ସ୍ତରର ୫୦ ଟୁର ଅପରେଟର ଯୋଗ ଦେଇଛନ୍ତି । ଓଡ଼ିଶା ପ୍ରର୍ଯ୍ୟଟନ ଓ ଭାରତୀୟ ବାଣିଜ୍ୟିକ ମହାସଂଘ (ଫିକି)ର ମିଳିତ ଉଦ୍ୟମରେ ଆୟୋଜିତ ଏହି ମେଗା କାର୍ଯ୍ୟକ୍ରମ ସମବେତ ଟୁର ଅପରେଟରମାନଙ୍କ ମଧ୍ୟରେ ବ୍ୟବସାୟିକ ଓ ବୈଷୟିକ ଆଲୋଚନା ଅନୁଷ୍ଠିତ ହେବା ସହିତ ଓଡ଼ିଶାକୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବା ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଉଦ୍ୟମ ଅବ୍ୟାହତ ରହିବ । ବିମାନ ସେବାରେ ଅଭିବୃଦ୍ଧି ସାଙ୍ଗକୁ ଓଡ଼ିଶାରେ ରହିଥିବା ପର୍ଯ୍ୟଟନ ସଂପଦଗୁଡ଼ିକର ଉପଯୁକ୍ତ ପ୍ରଦର୍ଶନ ଓ ବିପଣନ କେବଳ ଟୁର ଅପରେଟରମାନଙ୍କ ଦ୍ୱାରା ବିଶେଷ ଭାବରେ ଅର୍ଥ ପୂର୍ଣ୍ଣ ହୋଇ ପାରିବ ବୋଲି ମନ୍ତ୍ରୀ ପାଣିଗ୍ରାହୀ ମନ୍ତବ୍ୟ ଦେଇଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟର ମୋଟ ରାଜସ୍ୱ ଆୟର ତାତ୍ପର୍ଯ୍ୟ ପୂର୍ଣ୍ଣ ଅଂଶ ପର୍ଯ୍ୟଟନ ବିଭାଗରୁ ଆଦାୟ ହେଉଛି ଏବଂ ଓଡ଼ିଶାକୁ ପର୍ଯ୍ୟଟନ ଆଗମନ ୯ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଦେଶର ୧୯ଟି ସହରରୁ ଟୁର ଅପରେଟରମାନେ ଏହି ସମାବେଶରେ ଯୋଗ ଦେଇଥିବାବେଳେ ଭାରତୀୟ ବାଣିଜ୍ୟିକ ମହାସଂଘ (ଫିକି)’ ରାଜ୍ୟରେ ପର୍ଯ୍ୟଟନ ସଂପଦର ବିକାଶ ପାଇଁ ଉଦ୍ୟମ ଅବ୍ୟାହତ ରଖିଛି ବୋଲି ସଂସ୍ଥାର ଜାତୀୟ ପର୍ଯ୍ୟଟନ କମିଟି ଉ ପାଧ୍ୟକ୍ଷ ଜେ. କେ. ମହାନ୍ତି ସୂଚନା ଦେଇଥିଲେ ।
‘ଫିକି’ର ପୂର୍ବାଞ୍ଚଳ କାର୍ଯ୍ୟକର୍ତ୍ତା ସୌଭାଗ୍ୟ ମହା ପାତ୍ର ମଧ୍ୟ ବକ୍ତବ୍ୟ ରଖିଥିଲେ । ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍‌ ଯାଦବ ଓଡ଼ିଶାର ପର୍ଯ୍ୟଟନ ସଂପଦ ଉପରେ ବିଶେଷ କରି ଉପକୂଳ, ଐତିହ୍ୟ, ହସ୍ତଶିଳ୍ପ ଓ କ୍ରୀଡ଼ା ପର୍ଯ୍ୟଟନ ଉପରେ ବକ୍ତବ୍ୟ ରଖିଥିଲେ । ଆସନ୍ତାକାଲିଠାରୁ ଦେଶ ଓ ବିଦେଶରୁ ଆଗତ ଟୁର ଅପରେଟରମାନଙ୍କ ସହିତ ବ୍ୟବସାୟିକ ଓ ବୈଷୟିକ ଆଲୋଚନା ଚାଲୁ ରହିବ । ବିଶେଷ କରି ରାଜ୍ୟର ବୌଦ୍ଧ ପର୍ଯ୍ୟଟନସ୍ଥଳୀ, ହୀରକ ତି୍ରଭୂଜ ଓ ଜନଜାତି ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବ । ‘ଓଡ଼ିଶା ଟ୍ରାଭେଲ୍‌ ବଜାର’ ଅବଧି ମଧ୍ୟରେ ବିଭିନ୍ନ ବୁଥ୍‌ ମାଧ୍ୟମରେ ପ୍ରାୟ ୨୪୦୦ ପ୍ରାକ୍‌ ପ୍ରାୟୋଜିତ ବ୍ୟବସାୟିକ ଆଲୋଚନା ସଂପନ୍ନ ହୋଇ ପାରିବ ବୋଲି ଆଶା କରାଯାଉଛି ।
ଓଡ଼ିଶା ପର୍ଯ୍ୟଟନକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଏପରି ଉଦ୍ୟମ ଫଳ ପ୍ରଦ ହେବ ବୋଲି ଆଶା କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ ବିଭାଗର ଅତିରିକ୍ତ ପ୍ରମୁଖ ମୁଖ୍ୟ ବନସଂରକ୍ଷକ ଶଶି ପାଲ୍‌ ଓ ଓଡ଼ିଶା ପର୍ଯ୍ୟଟନ ନିଗମର ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସଏ ମଧ୍ୟ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପଦ୍ମଶ୍ରୀ ଡ. ଅରୁଣା ମହାନ୍ତି ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ସମେତ ପୁରୀର ଗୋଟି ପୁଅ ଓ ସୋନ ପୁରର ଶଙ୍କର ନାଗ ଓ ସାଥୀଙ୍କ ଦ୍ୱାରା ‘ରଙ୍ଗବତୀ’ ସଞ୍ଚଲ ପୁରୀ ନୃତ୍ୟ ପରିବେଷିତ ହୋଇଥିଲା ।

Comments are closed.