Odisha Link
Bridging the Missing Links in Odisha

ବିଜେଡିର ମହିଳା ପ୍ରାର୍ଥୀଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଗାନ୍ଦିଜୀଙ୍କୁ ସମର୍ପିତ: ନବୀନ

ଭୁବନେଶ୍ବର: ଆଗାମୀ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଘୋଷଣା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏହି ଘୋଷଣାକୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଉଦ୍ଦେଶ୍ୟରେ ନବୀନ ଉତ୍ସର୍ଗ କରିଛନ୍ତି। ଗାନ୍ଧିଜୀଙ୍କ ପ୍ରତି ଏହା ଏକ ବିନମ୍ର ଶ୍ରଦ୍ଧାଞ୍ଜଳି ବୋଲି ସେ କହିଛନ୍ତି।

ବିଶ୍ବ ମହିଳା ଦିବସର ୨ ଦିନ ପରେ କେନ୍ଦ୍ରାପଡାର ଏକ ସଭାରେ ନବୀନ ତାଙ୍କ ଦଳରେ ଏ ପ୍ରକାର ସଂରକ୍ଷଣ ନେଇ ଘୋଷଣା କରିଥିଲେ। ସେ କହିଥିଲେ ଯେ ଏହି ଐତିହାସିକ ମାଟିରୁ ସେ ଘୋଷଣା କରୁଛନ୍ତି ଆଗାମୀ ନିର୍ବାଚନରେ ଓଡ଼ିଶାର ୩୩ ପ୍ରତିଶତ ମହିଳା ସଂସଦକୁ ଯିବେ। ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶକୁ ଏକ ନୂଆ ରାସ୍ତା ଦେଖାଇବ। ତେବେ ନବୀନଙ୍କ ଏହି ନିଷ୍ପତ୍ତି ଦୀର୍ଘ ବର୍ଷ ତଳେ ମହାତ୍ମା ଗାନ୍ଧି ଦେଖିଥିବା ଏକ ସ୍ବପ୍ନ ସହ ସମାନ।

୧୯୩୧ରେ ଲଣ୍ଡନରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅବସରରେ ଗାନ୍ଧିଜୀ କହିଥିଲେ ଯେ ଯେଉଁ ନିର୍ବାଚନମଣ୍ଡଳୀରେ ଅଧିକ ସଂଖ୍ୟାରେ ମହିଳା ପ୍ରତିନିଧି ନ ଥିବେ ତାହାକୁ ସେ ବର୍ଜନ କରିବେ। ଏପରିକି ଆଗାମୀ ବର୍ଷରେ ଭାରତର ବିଭିନ୍ନ ବିଧାନସଭାରେ ଯଦି ଅଧିକ ସଂଖ୍ୟାରେ ମହିଳା ବିଧାୟିକା ନ ରହିବେ ତେବେ ସେ ସେଠାରେ ପାଦ ପକାଇବେ ନାହିଁ ବୋଲି କହିଥିଲେ। ସଂସଦ ଓ ବିଧାନସଭାରେ ସେ ଅଧିକ ମହିଳା ଲୋକପ୍ରତିନିଧି ଉପରେ ଜୋର ଦେଉଥିଲେ। ଭାରତ ଭଳି ଏକ ବିଶାଳ ଦେଶ ଯେଉଁଠାରେ ବିପୁଳ ପରିମାଣରେ ନାରୀ ଶକ୍ତି ରହିଛନ୍ତି ସେଠାରେ ମହିଳାଙ୍କୁ ଅଧିକ ମାତ୍ରାରେ ନିର୍ବାଚନରେ ସାମିଲ କରିବାକୁ ସେ ଚାହୁଁଥିଲେ।

ତେବେ ନବୀନଙ୍କ ଏହି ମହିଳା ସଂରକ୍ଷଣ ଘୋଷଣା ଗାନ୍ଧିଜୀଙ୍କ ଲକ୍ଷ୍ୟକୁ ସାକାର କରିଛି ବୋଲି ଚର୍ଚ୍ଚା ହେଉଛି। ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ବିଟରରେ ମଧ୍ୟ ଏହା ବିଷୟରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ଟ୍ବିଟ କରି ସେ କହିଛନ୍ତି ଯେ ମହାତ୍ମା ଗାନ୍ଧି ସବୁବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦେଉଥିଲେ। ସଂସଦୀୟ କ୍ଷେତ୍ରରେ ମହିଳା ପ୍ରତିନିଧି ପାଇଁ ସେ ଦାବି କରୁଥିଲେ। ଏହି ମହିଳା ସଂରକ୍ଷଣ ଘୋଷଣା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷରେ ତାଙ୍କ ପ୍ରତି ଏକ ବିନମ୍ର ଶ୍ରଦ୍ଧାଞ୍ଜଳି ବୋଲି ନବୀନ ଟ୍ବିଟ୍ କରିଛନ୍ତି।