ନୂଆପଡ଼ାରେ ୫ କିଲୋମିଟର ଦୋଳାରେ ବୁହାହେଲେ ଗର୍ଭବତୀ

ଭୁବନେଶ୍ବର: ଗାଡ଼ି ଯାତାୟତ ପାଇଁ ରାସ୍ତା ନଥିବା ହେତୁ ଜଣେ ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟର ବାଟ ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ପହଞ୍ଚାଇବାକୁ ପଡ଼ିଛି।
ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କପୁରଗଡ଼ ଗାଁରେ। ସେହି ଗାଁର ପରମାନନ୍ଦ ମାଝୀଙ୍କ ପତ୍ନୀ ଜୁଗୁନି ମାଝୀ ଆଜି ସକାଳୁ ପ୍ରସବ ବେଦନା ଭୋଗିବାରୁ ପରିବାର ଲୋକେ ତୁରନ୍ତ ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଜଣାଇଥିଲେ। ଆଶା କର୍ମୀ ଫୋନ ଯୋଗେ ଆମ୍ବୁଲାନ୍ସ ଡକାଇଥିଲେ ବି ରାସ୍ତା ଖରାପ ଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା।
ଅନ୍ୟ କିଛି ଉପାୟ ନପାଇ ପରିବାର ଲୋକେ ଓ ଆଶା କର୍ମୀ ମହିଳାଙ୍କୁ ଷ୍ଟ୍ରେଚରରେ ଲଦି ୫ କିଲୋମିଟର ବାଟ କାନ୍ଧରେ ବୋହି ଖଡ଼ିଆଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ।
ଦୀର୍ଘଦିନର ଦାବି ସତ୍ତ୍ବେ ଗାଁକୁ ରାସ୍ତା ନିର୍ମାଣ ହେଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି।