Odisha Link
Bridging the Missing Links in Odisha

ନୟାଗଡ଼ରୁ ନବୀନଙ୍କ ପ୍ରଚାର ଆରମ୍ଭ

ଭୁବନେଶ୍ୱର: ଆଜି ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୟାଗଡ଼ ଖେଳ ପଡ଼ିଆରେ ଏକ ବିଶାଳ ଜନସମୁଦ୍ରକୁ ସମ୍ବୋଧିତ କରି ୨୦୧୯ ସାଧାରଣ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ବିଜେଡି ମୁଖ୍ୟ।

କେନ୍ଦ୍ରରେ ଏଥର କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ନବୀନ କହିଛନ୍ତି। କେନ୍ଦ୍ର ସରକାର ଗଠନରେ ବିଜୁ ଜନତା ଦଳର ପ୍ରମୁଖ ଭୂମିକା ରହିବ ବୋଲି ସେ କହିଛନ୍ତି। ଉଦବୋଧନ ବେଳେ ନବୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଥିଲେ।

ଏହି ଅବସରରେ ସେ କହିଥିଲେ ଯେ, ଆସ୍କାରୁ ପ୍ରମିଳା ବିଶୋୟୀଙ୍କୁ ଲୋକସଭା ସାଂସଦ ପ୍ରାର୍ଥୀ କରାଯାଇଛି। ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ପ୍ରକଳ୍ପ ମାଧ୍ୟମରେ ମହିଳାଙ୍କୁ ବିନା ସୁଧରେ ଋଣ ଦିଆଯାଉଛି । ସାରା ଦେଶରେ ପ୍ରଥମ ଥର ପାଇଁ କାଳିଆ ଯୋଜନା ଲାଗୁ କରାଯାଇଛି । ଏହି ଯୋଜନାରେ ୩୫ ଲକ୍ଷ ଚାଷୀଙ୍କୁ ସହାୟତା ମିଳିଛି । ଆଉ ୨୦ ଲକ୍ଷ ପରେ ସାମିଲ ହୋଇଛନ୍ତି। ଜଣେ ବି ଚାଷୀ ଯେମିତି ଏହି ଯୋଜନାରୁ ବଞ୍ଚିତ ନହେବେ ସେ ନେଇ ମୁଁ ନଜର ରଖିଛି ବୋଲି ନବୀନ କହିଥିଲେ। ତେବେ କିଛି ବିରୋଧୀ ଏହାକୁ ନେଇ ଅପପ୍ରଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ ପାଇଁ ଆମେ ଲଢେଇ ଜାରି ରଖିଛୁ ବୋଲି ସେ କହିଥିଲେ। ୨୦୧୪ ନିର୍ବାଚନ ପୂବର୍ବରୁ ବିଜେପି ତା’ର ଇସ୍ତହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ତେବେ କେନ୍ଦ୍ରରେ ସରକାର ଗଠନ କରିବା ପରେ ସ୍ୱତନ୍ତ୍ର ପାହ୍ୟା କଥା ବିଜେପି ଭୁଲିଯାଇଛି ବୋଲି ନବୀନ ସମାଲୋଚନା କରିଥିଲେ।

ଏହି ସମାବେଶରେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର, ନୟାଗଡ଼ ବିଧାୟକ ଅରୁଣ ସାହୁ, ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ, ରଣପୁର ବିଧାୟକ ରବିନାରାୟଣ ମହାପାତ୍ର ଓ ଅନ୍ୟାନ୍ୟ ଦଳୀୟ ନେତୃବୃନ୍ଦ ଉପସ୍ଥିତି ଥିଲେ।

Comments are closed.