Odisha Link
Bridging the Missing Links in Odisha

ଯୁବ ପିଢ଼ିକୁ ଅଧିକରୁ ଅଧିକ ପଢ଼ନ୍ତୁ, ବହୁତ ରତ୍ନ ମିଳିବେ: ଶିଶିର ବେହେରା

‘ବିମୁଗ୍ଧ ଉଚ୍ଚାରଣ’ ଗବେଷଣା ପୁସ୍ତକ ପାଇଁ ୨୦୧୯ ମସିହା ପାଇଁ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମି ଯୁବ ପୁରସ୍କାର ପାଉଛନ୍ତି ଓଡ଼ିଆ ଗବେଷକ ଶିଶିର ବେହେରା। ତାଙ୍କ ସାରସ୍ବତ ଯାତ୍ରା ଯେତିକି କଠିନ ସେତିକି ପ୍ରେରଣାଦାୟୀ। ୧୯୮୭ ମସିହାରେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରର ଏକ ଦରିଦ୍ର ପରିବାରରେ ଜନ୍ମିତ ଶିଶିର ନିଜ ଜୀବନର ପ୍ରାୟ ୩୦ ବର୍ଷ ଅନ୍ଧାର ଓ ଡିବିରି ଆଲୁଅରେ ବିତାଇଛନ୍ତି। ୩ ବର୍ଷ ତଳେ ନିଜ ଉଦ୍ୟମରେ ଘରକୁ ବିଦ୍ୟୁତ ସଂଯୋଗ ନେଇଥିବା ଶିଶିର କିନ୍ତୁ ନିଜ ଜୀବନ, ପ୍ରାପ୍ତି ଓ ସ୍ବପ୍ନକୁ ନେଇ ବେଶ୍‌ ସନ୍ତୁଷ୍ଟ। ଏଯାବତ ତାଙ୍କର ୧୦ ଗୋଟି ପୁସ୍ତକ ପ୍ରକାଶ ପାଇ ସାରିଥିବା ବେଳେ ଆଉ ୩ଟି ବହି ପ୍ରକାଶ ଅପେକ୍ଷାରେ। ରେଭେନ୍ସା ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ପ୍ରାପ୍ତ ହେବା ସହ ଏମଫିଲରେ ମଧ୍ୟ ପ୍ରଥମ ହୋଇଥିଲେ ଶିଶିର। ଶିଶିର ସଂପ୍ରତି ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗରେ ସହଯୋଗୀ ପ୍ର‍ାଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। 

ଗତକାଲି କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା ହୋଇଥିବା ବେଳେ ଶିଶିରଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ଅନ୍ୟପଟେ ସେ ସାହିତ୍ୟରେ ସେତେ ଜଣାଶୁଣା ନୁହନ୍ତି ଓ ତାଙ୍କୁ ଆଞ୍ଚଳିକ ଭିତ୍ତିରେ ପୁରସ୍କାର ଦିଆଯାଉଥିବା ନେଇ ମଧ୍ୟ ସୋସିଆଲ ମିଡିଆରେ କିଛି ସାହିତ୍ୟିକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏ ଅବସରରେ ପଢ଼ନ୍ତୁ, ଓଡ଼ିଶା ଲିଙ୍କ ସହ ଗବେଷକ, ପ୍ରାବନ୍ଧିକ, ସମାଲୋଚକ ଓ ଅନୁବାଦକ ଶିଶିରଙ୍କ ସଂକ୍ଷିପ୍ତ ସାକ୍ଷାତକାର…


ଓଡ଼ିଶା ଲିଙ୍କ୍: ଶୁଭେଚ୍ଛା ଶିଶିର। ପୁରସ୍କାର ଘୋଷଣା ହେବା ପରେ ପ୍ରତିକ୍ରିୟା କିପରି ଥିଲା?

ଶିଶିର ବେହେରା: ନିଶ୍ଚିତ ଭାବରେ ଆନନ୍ଦିତ ଓ ଉତ୍ସାହିତ। ବହୁତ ଖୁସି ଲାଗିଥିଲା। ତେବେ ମୋ ପାଇଁ ସବୁଠୁ ବଡ଼ ଖୁସି ହେଉଛି, ପ୍ରଥମ ଥର ପାଇଁ ଏକାଡେମି ଗୋଟିଏ ପ୍ରବନ୍ଧ ପୁସ୍ତକକୁ ପୁରସ୍କାର ପାଇଁ ବିବେଚନା କରିଛି। ମୁଁ ମୋର ଗୁରୁଜନ, ଶୁଭେଚ୍ଛୁଙ୍କ ସମେତ ପୁରସ୍କାରର ବିଚାରକ ଓ କେନ୍ଦ୍ର ସାହିତ୍ୟ ଏକାଡେମି କର୍ତୃପକ୍ଷଙ୍କ ପାଖରେ କୃତଜ୍ଞ।

ଓଡ଼ିଶା ଲିଙ୍କ୍: ପ୍ରବନ୍ଧ, ଆଲୋଚନା ଓ ଗବେଷଣା ଠାରୁ ଦୂରେଇ ନୂଆ ପିଢ଼ିର ବହୁ ଲେଖକ ଏବେ କଥା-କବିତାକୁ ବେଶି ଗୁରୁତ୍ବ ଦେଉଛନ୍ତି। ବିଶେଷ କରି ଯୁବ ପିଢ଼ି ଭିତରେ କବିଙ୍କ ସଂଖ୍ୟା ଏବେ ପ୍ରବଳ। ଏ ବାବଦରେ ଆପଣ କଣ କହିବେ?

ଶିଶିର ବେହେରା: ଏ ପ୍ରକାର ଧାରଣାକୁ ସମ୍ପୂର୍ଣ୍ଣ ଏଡ଼ାଇ ହେବନାହିଁ। ତେବେ ଯୁବ ପିଢ଼ି ପ୍ରବନ୍ଧ, ଆଲୋଚନାରୁ ଦୂରେଇ ଯାଉଥିବା ଅଭିଯୋଗଟି ପ୍ରାୟ ଭିତ୍ତିହୀନ ମନେହୁଏ। ମୋ ଭଳି ବହୁ ଯୁବକଯୁବତୀ ଏବେ ଗବେଷଣାରେ ମନ ଦେଇଛନ୍ତି। ସେମାନେ ଅଧିକାଂଶ ନିରବ ସାଧକ। ତାଙ୍କୁ କେହି ଜାଣନ୍ତି ନାହିଁ, ପଢ଼ନ୍ତ ନାହିଁ କି ସ୍ବୀକୃତି ଦିଅନ୍ତି ନାହିଁ। କବିତା ସ୍ବୀକୃତି ପାଇବାର ସହଜ ମାଧ୍ୟମ ହୋଇଥିବାରୁ ଶୀଘ୍ର ନଜରକୁ ଆସୁଛି। ତେବେ ଏଥରର ଯୁବ ପୁରସ୍କାର ଏକ ଆଶା ସଂଚାର କରିଛି। ଏହା କେବଳ ମୋତେ ନୁହେଁ, ମୋ ଭଳି ବହୁ ଗବେଷକ, ପ୍ରାବନ୍ଧିକ ଓ ଆଲୋଚକଙ୍କୁ ପ୍ରେରଣା ଯୋଗାଇବ।

ଓଡ଼ିଶା ଲିଙ୍କ୍: ଭାଷା ସାହିତ୍ୟ ପ୍ରତି ଆଗ୍ରହ କେବେଠାରୁ ଓ କିପରି ହେଲା?

ଶିଶିର ବେହେରା: ଜେଜେ ରାମଚନ୍ଦ୍ର ବେହେରା ଥିଲେ ପ୍ରସିଦ୍ଧ ରାମଲୀଳା ଗାୟକ। ତାଙ୍କ ଠାରୁ ଭଞ୍ଜ ସାହିତ୍ୟ, ରାମାୟଣ ଓ ପୋଥିପୁରାଣ ଆଦି ଶୁଣିଛି। ସେଇ ପିଲାବେଳୁ ସାହିତ୍ୟ ପ୍ରତି ଆଗ୍ରହ ଜନ୍ମିଛି। ଛତିଆର ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟରେ +୨ ଅଧ୍ୟୟନ ବେଳେ ଅଜା କୁଞ୍ଜବନ ପାଳଙ୍କ ପ୍ରତ୍ୟକ୍ଷ ପ୍ରେରଣାରେ ମୁଁ ଓଡ଼ିଆ ସାହିତ୍ୟ ଶିକ୍ଷା କଲି। ସେଇଠି ଓଡ଼ିଆ ଅନର୍ସ ନେଇ ସ୍ନାତକ ମଧ୍ୟ କଲି। ତା ପରେ ରେଭେନ୍ସା ଆସିଲି। ଏହାର ସାରସ୍ବତ ପାଣିପାଗ ମୋତେ ବହୁମାତ୍ରାରେ ପ୍ରଭାବିତ କଲା। ସେଇଠି ମୋର ପ୍ରଥମ ଗବେଷଣା ପୁସ୍ତକ ପ୍ରକାଶ ପାଇଥିଲା।

ଓଡ଼ିଶା ଲିଙ୍କ୍: ସାହିତ୍ୟର ସବୁକ୍ଷେତ୍ରରେ ଅଧ୍ୟବସାୟ ଲୋଡ଼ା। କିନ୍ତୁ ଗବେଷଣା ଓ ଆଲୋଚନା ପାଇଁ ଅଧିକ ଅଧ୍ୟୟନ ଓ ଜ୍ଞାନ ଆହରଣ ଲୋଡ଼ା। ଏଭଳି ଏକ ବିଭାଗକୁ କାହିଁକି ବାଛିଲେ?

ଶିଶିର ବେହେରା: ମୋର ଲୋକସାହିତ୍ୟ, ଲୋକସଂସ୍କୃତି ଓ ପରମ୍ପରା ପ୍ରତି ପ୍ରଚୁର ଦୁର୍ବଳତା। ସେଇ କ୍ଷେତ୍ରରେ ଗବେଷଣା କରିବାର ଆଗ୍ରହ ରହିଛି। ମୋର ପାରିବାରିକ ଓ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିଲେ ହେଁ ମୋର ଗବେଷଣାରେ ତାହା କେବେ ଅନ୍ତରାୟ ହୋଇନାହିଁ। ଆମ ଘରେ ବିଦ୍ୟୁତ ସଂଯୋଗ ନଥିଲା। ମୁଁ ପିଏଚ‌ଡି ଶେଷ କରିବା ଯାଏଁ ଡିବିରି ଆଲୁଅରେ ପାଠ ପଢ଼ିଛି। ସେତେବେଳେ ରେଭେନ୍ସାର କୁଳପତି ତଥା କବି ଦେବଦାସ ଛୋଟରାୟ ମୋର ଆର୍ଥିକ ସ୍ଥିତିକୁ ବିଚାରକୁ ନେଇ ଏମଫିଲ ପରେ ପରେ ମୋତେ ବିଶ୍ବବିଦ୍ୟଳୟରେ ଗୋଟିଏ ବର୍ଷ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତ କରିଥିଲେ। ମୋର ସେହି ପ୍ରଥମ ବୃତ୍ତିଗତ ରୋଜଗାର ଅର୍ଥରେ ମୁଁ ୨୦୧୬ ମସିହାରେ ଘରକୁ ବିଦ୍ୟୁତ ସଂଯୋଗ ନେଲି। ହାତରେ କିଛି ଅର୍ଥ ହେବାରୁ ବଙ୍ଗଳାରେ ଡିପ୍ଲୋମା କଲି। ପିଏଚଡି କଲି। ଏସଏସବିରେ କୃତକାର୍ଯ୍ୟ ହୋଇ ୨୦୧୬ରୁ ୨୦୧୭ ଜେନାପୁର ମହାବିଦ୍ୟାଳୟରେ ଅଧ୍ୟାପନା କଲି। ୨୦୧୭ରେ ଓପିଏସସି ପାଇ ବାଲେଶ୍ବରର କୁନ୍ତଳାକୁମାରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଯୋଗଦେଲି। ୨୦୧୭ ଶେଷ ଆଡ଼କୁ ମହାବିଦ୍ୟାଳୟ ଛାଡ଼ି ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗଦେଲି। ଗବେଷଣା ଓ ପ୍ରବନ୍ଧ ପାଇଁ ନିରନ୍ତର ଆଗ୍ରହ ଯୋଗୁଁ ମୁଁ ଏତେବାଟ ଆସିପାରିଛି। କୌଣସି ସାମାଜିକ ଓ ଆର୍ଥନୀତିକ ସ୍ଥିତି ମୋର ବାଧକ ହୋଇ ରହିନାହିଁ।

ଓଡ଼ିଶା ଲିଙ୍କ୍: ସାହିତ୍ୟକୁ ପ୍ରବନ୍ଧ, ଆଲୋଚନା, ଗବେଷଣା କିଭଳି ପ୍ରଭାବିତ କରିଥାଏ ବୋଲି ଆପଣ ଭାବନ୍ତି?

ଶିଶିର ବେହେରା: ପ୍ରବନ୍ଧ ସାହିତ୍ୟର ଏକ ଦୃଢ଼ ଅଙ୍ଗ। ପ୍ରବନ୍ଧ ବା ଗଦ୍ୟ ସାହିତ୍ୟ ସୃଜନଶୀଳ ସାହିତ୍ୟକୁ ମାର୍ଜିତ ଓ ଶୃଙ୍ଖଳିତ କରେ। କବି ବା କାହାଣୀକାରଙ୍କୁ ଚିହ୍ନେଇବାର କାର୍ଯ୍ୟ କରେ ପ୍ରବନ୍ଧ। ମୁଁ ନିଜକୁ ଜଣେ ପାଠକ ଭାବି ଗବେଷଣା କରେ। ବୈଜ୍ଞାନିକର ଉଦ୍ଭାବନ ଭଳି ମୋ ଗବେଷଣାରେ କିଛି ନୂଆ ଜିନିଷ ହାତରେ ବାଜିଲେ ସ୍ବର୍ଗସୁଖ ମିଳିବା ପରି ମନେହୁଏ।

ଓଡ଼ିଶା ଲିଙ୍କ୍: ଆପଣ ପୁରସ୍କାର ପାଇବା ପରେ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ତେବେ ସାମାଜିକ ଗଣମାଧ୍ୟମରେ କିଛି ଅସନ୍ତୋଷ ବି ପ୍ରକାଶ ପାଇଛି। ଅନେକେ ଆପଣଙ୍କୁ ଆଦୌ ଜାଣି ନ ଥିବା କହିଥିବା ବେଳେ ଆପଣଙ୍କୁ ଆଞ୍ଚଳିକ ଭିତ୍ତିରେ ପୁରସ୍କାର ଦିଆଯାଇଛି ବୋଲି କେହି କେହି ଅଭିଯୋଗ କରିଛନ୍ତି। ଏ ନେଇ ଆପଣଙ୍କର ପ୍ରତିକ୍ରିୟା କଣ?

ଶିଶିର ବେହେରା: ମୋର ୪ ଗୋଟି ବହି କଟକର ପୁରାତନ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍ସ ଛାପିଛି। ଏ ବାବଦରେ ଅନେକେ ଜାଣନ୍ତି ଓ ସେ ଦୃଷ୍ଟିରୁ ମୋତେ ପଢ଼ନ୍ତି ବୋଲି ମୋର ମନେହୁଏ। ଗୋଟିଏ ପୁସ୍ତକ ପୁରସ୍କାର ପାଇବା ପରେ ତାହାର ଆକଳନ କରାଯିବା ବଦଳରେ ପ୍ରାପକର ସ୍ଥାନୀୟତା, ସାମାଜିକ ସ୍ଥିତି ବା ସାମାଜିକ ସ୍ବୀକୃତିକୁ ନେଇ ସମାଲୋଚନା କରାଯିବା ଦୁର୍ଭାଗ୍ୟଜନକ। ମୋତେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଦେବା ପାଇଁ ଯୋଗ୍ୟ ମଣିଲେ। ଏହା ବିଚାରକଙ୍କ ନିଷ୍ପତ୍ତି। ବିଚାରକଙ୍କ ନିଷ୍ପତ୍ତି ପ୍ରତି ଅସହିଷ୍ଣୁ ଓ ଅସହନଶୀଳ ହେବା ଦୁଃଖଦାୟକ। ତେବେ ମୁଁ ସେଥିପ୍ରତି କର୍ଣ୍ଣପାତ କରୁନାହିଁ। ମୋର କେବଳ ଗୋଟିଏ ଅନୁରୋଧ, ଯୁବ ପିଢ଼ିକୁ ବରିଷ୍ଠମାନେ ଅଧିକରୁ ଅଧିକ ପଢ଼ନ୍ତୁ, ବହୁତ ରତ୍ନ ମିଳିବେ।

ଓଡ଼ିଶା ଲିଙ୍କ୍: ସାହିତ୍ୟର ଭିନ୍ନ ଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ପରସ୍ପରକୁ ଜାଣିବା ଚିହ୍ନିବାରେ ଅସୁବିଧା ଉପୁଜୁଛି ବୋଲି ଆମର ମନେହୁଏ। ଆପଣଙ୍କ ମତ କଣ?

ଶିଶିର ବେହେରା: ମୁଁ ସମ୍ପୂର୍ଣ୍ଣ ଏକମତ। କବିତା ଲେଖୁଥିବା ବ୍ୟକ୍ତି କାହାଣୀକାରଙ୍କୁ ନ ପଢ଼ିଲେ, କାହାଣୀ ଲେଖୁଥିବା ଲୋକ ପ୍ରାବନ୍ଧିକକୁ ନ ପଢ଼ିଲେ ବା ପ୍ରାବନ୍ଧିକ ମୌଳିକ ସୃଜନଶୀଳ ଲେଖା ନ ପଢ଼ିଲେ ସାହିତ୍ୟରେ ସମନ୍ବୟ ରହିବ ନାହିଁ। ସମ୍ଭବତଃ ସେହି କାରଣରୁ ପ୍ରାବନ୍ଧିକଟିଏ ପୁରସ୍କାର ପାଇବା ବେଳେ ସେ ଅଜଣା ଗ୍ରହରୁ ଆସିଥିବା ଜନ୍ତୁ ଭଳି କେତେକଙ୍କୁ ମନେହେଉଛି। ଆପଣଙ୍କୁ କହି ରଖେ, ମୁଁ ଏମଫିଲ ଗବେଷଣା କବିତା ଉପରେ ଓ ପିଏଚଡି ଗବେଷଣା କାହାଣୀ ଉପରେ କରିଛି। କେବଳ ବରିଷ୍ଠ ନୁହେଁ, ଯୁବ ପିଢ଼ିର ବହୁ କବି ଲେଖକଙ୍କୁ ମୁଁ ପଢ଼େ।

ଓଡ଼ିଶା ଲିଙ୍କ୍: ଆଗକୁ ଯୋଜନା, ଲକ୍ଷ୍ୟ?

ଶିଶିର ବେହେରା: ପୁରସ୍କାର ପାଇବା ପରେ କେବଳ ଯେ ମୋର ଦାୟିତ୍ବ ବଢ଼ିଯାଇଛି ତା ନୁହେଁ, ବରଂ ଏହା ମୋତେ ସଚେତନ କରିଛି। ମୋ ଭାଷା ସାହିତ୍ୟ ମୋତେ ଯେଉଁ ସମ୍ମାନ ଦେଇଛି ମୁଁ ତା’ର ମାନ ରଖିବାକୁ ସର୍ବଦା ଚେଷ୍ଟା କରିବି।

ଶିଶିର ବେହେରାଙ୍କୁ ୨୦୧୯ ପାଇଁ ସାହିତ୍ୟ ଏକାଡେମି ଯୁବ ପୁରସ୍କାର

Comments are closed.