Odisha Link
Bridging the Missing Links in Odisha

ଅଧୀର ରଞ୍ଜନ ଚୌଧୁରୀ ହେଲେ କଂଗ୍ରେସର ଲୋକସଭା ନେତା

ନୂଆଦିଲ୍ଲୀ: ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଭାବେ ଚୟନ କରିଛି କଂଗ୍ରେସ। ଲୋକସଭାରେ କଂଗ୍ରେସ ଦଳର ନେତା ହେବାକୁ ରାହୁଲ ଗାନ୍ଧି ମନା କରିଦେଇଛନ୍ତି। ଯାହାଫଳରେ ଅଧୀର ରଞ୍ଜନ ଚୌଧୁରୀ ସଂସଦୀୟ ଦଳର ନେତା ହୋଇଛନ୍ତି। ପୂର୍ବରୁ ବରିଷ୍ଠ ନେତାମାନେ ରାହୁଲଙ୍କୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ଶେଷରେ ବିଫଳ ହୋଇଛନ୍ତି। ଆଜି କଂଗ୍ରେସ ପକ୍ଷରୁ ଦୀର୍ଘ ସମୟ ଧରି ସଂସଦୀୟ ବୋର୍ଡ ବୈଠକ ବସିଥିଲା।ଏଥିରେ ଉଭୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ଉପସ୍ଥିତ ରହିଥିଲେ। କଂଗ୍ରେସ ଲୋକସଭାରେ ୫୫ଟି ଆସନ ଜିତି ନଥିବାରୁ ବିରୋଧୀ ଦଳର ମାନ୍ୟତା ହରାଇଛି। ତେଣୁ ଲୋକସଭାରେ କଂଗ୍ରେସ ଦଳର ନେତା କିଏ ହେବ, ତା’କୁ ଆଜିର ବୈଠକରେ ଆଲୋଚନା ହୋଇଥିଲା। ଶେଷରେ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଥିଲା।

କଂଗ୍ରେସ ପକ୍ଷରୁ ଲୋକସଭା ବାଚସ୍ପତିଙ୍କୁ ଏକ ଚିଠି ଲେଖାଯାଇ ଏ ସମ୍ପର୍କରେ ଅବଗତ କରାଯିବ। ଏଥିସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ କମିଟିରେ ଅଧୀରଙ୍କୁ ହିଁ ସାମିଲ କରାଯିବା ପାଇଁ ପ୍ରସ୍ତାବ ଦିଆଯିବ। କଂଗ୍ରେସ ବିରୋଧୀ ଦଳର ମାନ୍ୟତା ହରାଇଥିଲେ ହେଁ ୫୨ଟି ଆସନ ସହ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି। ଏହି ଆଧାରରେ ଦଳ ଲୋକସଭାର ନେତା ଭାବେ ଅଧୀର ରଞ୍ଜନଙ୍କୁ ଚୟନ କରିଛି।ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିରେ ମଧ୍ୟ କଂଗ୍ରେସ ପକ୍ଷରୁ ଅଧୀର ରଞ୍ଜନ ହିଁ ଯୋଗଦେବ। ଏହି ବୈଠକରେ ୱାନ୍‌ ନେସନ ଓ ୱାନ୍‌ ଇଲେକସନ୍‌ ସମ୍ପର୍କରେ ଆଲୋଚନା କରାଯିବ।ଏଥରକୁ ମିଶାଇ ଅଧୀର ରଞ୍ଜନ ଚୌଧୁରୀ କ୍ରମାଗତ ୫ମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସଂସଦ ପରିଚାଳନାରେ ତାଙ୍କର ଅଭିଜ୍ଞତା ମଧ୍ୟ ରହିଛି। ଆଜିର କଂଗ୍ରେସ ସଂସଦୀୟ ବୋର୍ଡରେ ଏନ୍‌ଡିଏର ବାଚସ୍ପତି ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ବିରୋଧ କରାଯିବ ନାହିଁ ବୋଲି ମଧ୍ୟ ଦଳ ନିଷ୍ପତ୍ତି ନେଇଛି।

Comments are closed.