Odisha Link
Bridging the Missing Links in Odisha

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୩୪ ମୃତ

ମୁମ୍ୱାଇ : ଲଗାଣ ବର୍ଷାରେ ବେହାଲ ହେଲା ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇ। ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁ ବେହାଲ୍ ହୋଇପଡିଛି ମାୟାନଗରୀ। ଖବର ଲେଖାହେବା ଯାଏ ବର୍ଷା କାରଣରୁ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୁଖ୍ୟତଃ କାନ୍ଥ ଭୁଶୁଡି ପଡ଼ିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଆହୁରି ଦୁଇ-ତିନି ଦିନ ଏଭଳି ଲଗାଣ ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ। ଏହାକୁ ନଜରରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ସିଂ ଫଡନାଭିସ ଆଜି ସ୍କୁଲ ଛୁଟି ଘୋଷଣା କରିଛନ୍ତି।
ମାଲଦା ଇଷ୍ଟ ନିକଟସ୍ଥ ପିମ୍ପରିପଦରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ଅନ୍ୟମାନଙ୍କୁ ଉଦ୍ଧାର କରିଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଲଗାଣ ବର୍ଷାରେ ପାଣିରେ ଓଦା ହୋଇଯିବା ପରେ କାନ୍ଥ ଭୁଶୁଡି ପଡ଼ିଥିବା ଜଣାପଡ଼ିଛି। ଭୁଶୁଡ଼ି ପଡ଼ିଥିବା କାନ୍ଥ ଗୁଡ଼ିକ ଅସ୍ଥାୟୀ ଘର ଥିଲା ବୋଲି ଜଣାପଡ଼ିଛି।

ବ୍ରିହନମୁମ୍ୱାଇ ନଗରପାଳିକାର କୁରର ଗାଁରେ ମଧ୍ୟ କାନ୍ଥ ଭୁଶୁଡି ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ବି ଅସ୍ଥାୟୀ ଘର ଭୁଶୁଡ଼ି ପଡ଼ିଛି ଅତ୍ୟଧିକ ବର୍ଷା କାରଣରୁ।ପୁନେ ଆମ୍ୱେଗାଁଓରେ ଥିବା ସିନହଗଡ କଲେଜରେ କାନ୍ଥ ପଡ଼ିଯିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ରାତି ପାଖାପାଖି ଗୋଟାଏରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି।
ସେହିପରି କଲ୍ୟନରେ ଜାତୀୟ ଉର୍ଦ୍ଦୁ ସ୍କୁଲର କାନ୍ଥ ଭୁଶୁଡି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ରାତି ପାଖାପାଖି ୧୨ଟା ୩୦ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜଳବନ୍ଦୀରେ ଭକୋଲା ପୁଲିସ ଷ୍ଟେସନ୍ ମଧ୍ୟ ଲଗାଣ ବର୍ଷାରେ ଜଳବନ୍ଦୀ ହୋଇ ରହିଛି। ଥାନା ଭିତରେ ପାଣି ପଶିଯିବାରୁ ଥାନା ଅଧିକାରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କାଗଜ ପତ୍ର ଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଚେୟାର ଉପରେ ପୁଲିସ କର୍ମଚାରୀ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ୫୪ ବିମାନ ନିକଟସ୍ଥ ବିମାନ ବନ୍ଦରରେ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.