Odisha Link
Bridging the Missing Links in Odisha

ବିନା କାର୍ଯ୍ୟରେ ଦରମା ନେଉଛନ୍ତି ମନ୍ତ୍ରୀ ସିଦ୍ଧୁ: ତରୁଣ

ଚଣ୍ଡିଗଡ: ବିନା କାର୍ଯ୍ୟରେ ଦରମା ନେଉଛନ୍ତି ପଞାବ ସରକାରଙ୍କ ମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁ। ମନ୍ତ୍ରିମଣ୍ଡଳ ଅଦଳ ବଦଳକୁ ମାସେ ବିତିଲାଣି । ହେଲେ ଏଯାଏ ସିଦ୍ଧୁ ନିଜ ଅଫିସକୁ ଯାଇ ନାହାନ୍ତି। କିନ୍ତୁ ମନ୍ତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି ସିଦ୍ଧୁ। ଏପରି ଅଭିଯୋଗ ଆଣିଛନ୍ତି ବିଜେପି ନେତା।

ଏହି ଘଟଣାକୁ ନେଇ ବିଜେପି ନେତା ତରୁଣ ଚୁଗ ପଞ୍ଜାବ ରାଜ୍ୟପାଳ ଭିପି ସିଂହ ବଦନୋରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହା ଏକ ସାମ୍ୱିଧାନିକ ସଙ୍କଟ ବୋଲି ତରୁଣ ଚିଠିରେ ଦର୍ଶାଇଛନ୍ତି। ଯଦି ସିଦ୍ଧୁ କାର୍ଯ୍ୟରେ ଯୋଗ ନଦେବେ ତାହେଲେ ଅନ୍ୟ ଜଣେ କେହି ଦାୟିତ୍ୱ ନେଇ ଶକ୍ତି ବିଭାଗ ସମ୍ଭାଳିବା ଉଚିତ୍ ବୋଲି ତରୁଣ କହିଛନ୍ତି। ତୁରନ୍ତ ରାଜ୍ୟପାଳ ସିଦ୍ଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ତରୁଣ।

ସୂଚନାଯୋଗ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ବିବାଦ ଚାଲିଛି। ସିଦ୍ଧୁଙ୍କ ପାଇଁ ଲୋକସଭା ନିର୍ବାଚନ ବେଳେ ପଞ୍ଜାବର ବିଭିନ୍ନ ସ୍ଥାନରେ କଂଗ୍ରେସ ହାରିଛି ବୋଲି ଅମରିନ୍ଦର କହିଥିଲେ। ଏହାପରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରି ସିଦ୍ଧୁଙ୍କ ପାଖରେ ଥିବା ପର୍ଯ୍ୟଟନ ଓ ନଗର ଉନ୍ନୟନ ବିଭାଗ ଅନ୍ୟ ଜଣଙ୍କୁ ଦେଇଥିଲେ। ସିଦ୍ଧୁଙ୍କୁ ଶକ୍ତି ବିଭାଗ ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର। ତେବେ ନୂଆ ବିଭାଗକୁ ନେଇ ସିଦ୍ଧୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଅହମଦ ପଟେଲଙ୍କୁ ଭେଟି ଅବଗତ କରାଇଥିଲେ ସିଦ୍ଧୁ। ହେଲେ ଏଯାଏ ସିଦ୍ଧୁ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି।

Comments are closed.