Odisha Link
Bridging the Missing Links in Odisha

ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ : ବସ୍ ହେଲପର ଗିରଫ

ପୁରୀ : ଲକଜୁରୀ ବସରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଶରଧାବାଲିରେ ପୀଡିତା ନାବାଳିକା କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। କୁମ୍ଭାରପଡା ପୋଲିସ ପୀଡିତାକୁ ଉଦ୍ଧାର କରିବା ସହ ପୀଡିତାର ଅଭିଯୋଗ କ୍ରମେ ପୁରୀ ବସଷ୍ଟାଣ୍ଡରେ ଥିବା ବସରୁ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ପୁରୀ ସଦରଥାନା ମାଳତୀପାଟପୁର ନିକଟରେ ଥିବା ଓ୍ବାଟରପାର୍କରେ କାମ କରୁଥିଲେ ନାବାଳିକା। ସେ ଛୁଟିରେ ନିଜ ଘର କେନ୍ଦୁଝର ଅଞ୍ଚଳକୁ ଯାଇଥିଲେ । ତେବେ ଗତକାଲି ସେ କଟକରୁ ଏକ ଏସି ଡିଲକ୍ସ ବସରେ ପୁରୀ ଆସୁଥିଲା । ବସରେ ନିଦ ଲାଗିଯିବାରୁ ମାଳତୀପାଟପୁରରେ ଓହ୍ଲାଇ ପାରିନଥିଲା । ପୁରୀ ବସଷ୍ଟାଣ୍ଡରେ ନିଦ ଭାଙ୍ଗିବା ବେଳକୁ ରାତି ପ୍ରାୟ ନଅଟା ହୋଇଯାଇଥିଲା । ସେହି ସମୟରେ ଫେରିବା ସମ୍ଭବ ନୁହେଁ ବୋଲି ଜାଣି ନାବାଳିକା ଜଣକ କାନ୍ଦିଥିଲେ । ଫଳରେ ବସ୍ କର୍ମଚାରୀ ତାଙ୍କୁ ବୁଝାସୁଝା କରି ବସରେ ଶୋଇପଡିବାକୁ କହିଥିଲେ। ସକାଳ ହେଲେ ପଳାଇବ ବୋଲି କହିଥିଲେ। ପୀଡିତା ବସରେ ଶୋଇଥିଲା । ନିଦ ଲାଗିଯିବାରୁ ସରଳତାର ସୁଯୋଗ ନେଇ ବସରେ ଥିବା ହେଲପର ତାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା ପୋଲିସ ଆଗରେ ଅଭିଯୋଗ କରିଛନ୍ତି । ପୀଡିତାଙ୍କ ଅଭିଯୋଗ ପରେ ବସ୍ ର ହେଲପରଙ୍କୁ ଗିରଫ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି । ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।
ଅନ୍ୟପଟେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ପୋଲିସ ଘଟଣାର ତଦନ୍ତ କରୁଛି । ଆରଟିଓ ତଦନ୍ତରେ ସହଯୋଗ କରୁଛନ୍ତି । ଦୋଷୀ ଧରାପଡିଲେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ରଥଯାତ୍ରା ଲାଗି ପୁରୀକୁ ପ୍ରାୟ ଦଶହଜାର ପୋଲିସ କର୍ମଚାରୀ ଜଗିଥିବା ପୁରୀ ପୋଲିସ ଡିଣ୍ଡିମ ପିଟୁଥିବା ବେଳେ ଏଭଳି ଘଟଣା ପୋଲସର ନିଦ ହଜେଇ ଦେଇଛି। ପୋଲିସ ରଥଯାତ୍ରାରେ ଯାତ୍ରୀ ମାନଙ୍କୁ ସୁରକ୍ଷା ଦେବା ଆଳରେ ହଇରାଣ କରୁଛି ମାତ୍ର ଗଳିକନ୍ଦି, ବସଷ୍ଟାଣ୍ଡ, ବେଳାଭୂମି ମାର୍ଗ ଆଦି ଅଞ୍ଚଳରେ ପାଟ୍ରୋଲିଂ କଡାକଡି କିଭଳି ରହିଛି ଏହି ଘଟଣା ସ୍ପଷ୍ଟ ଉଦାହରଣ ପାଲଟିଛି।

Comments are closed.