Odisha Link
Bridging the Missing Links in Odisha

କିଡନୀ ରୋଗୀଙ୍କୁ ସହାୟକ ହେବ ‘ସହାୟ’ ଯୋଜନା

ମାଲକାନଗିରି : କିଡନୀ ରୋଗର ଚିକିତ୍ସା ପାଇଁ ଆଉ ଯିବାକୁ ପଡିବ ନାହିଁ ଜିଲ୍ଲା ବାହାରକୁ। ଏଥର ମାଲକାନଗିରି ଜିଲ୍ଲାରେ ହିଁ ଚିକିତ୍ସା ପାଇବେ କିଡନୀ ରୋଗୀ। କାରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ଡାଏଲିସିସ୍ ସେଣ୍ଟର। ପି.ପି.ପି ମୋଡରେ ପ୍ରଥମ ପର୍ଯ୍ୟାୟରେ ୩ ଶଯ୍ୟା ବିଶିଷ୍ଟ ଡାଏଲିସିସ୍ କେନ୍ଦ୍ର ଆରମ୍ଭ ହୋଇଥିବା ବେଳେ ପ୍ରତି ମାସରେ ୨୦୦ରୁ ଅଧିକ ରୋଗୀ ଏହାଦ୍ୱାରା ଉପକୃତ ହେବେ। ଡାଏଲିସିସ ଅଭାବରୁ ପ୍ରାଣ ହରାଇବେ ନାହିଁ ମାଲକାନଗିରି ଜିଲ୍ଲାର କିଡନୀ ରୋଗୀ। କାରଣ ବିନା ମୁଲ୍ୟରେ ସରକାରୀ ଡାକ୍ତରଖାନାରେ ଡାଏଲିସିସ୍ ସେବା ପାଇବେ ମାଲକାନଗିରି ଜିଲ୍ଲାବାସୀ। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ସହାୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂଆ କୋଠାରେ ଏକ ଡାଏଲିସିସ୍ ମେସିନ ସ୍ଥାପନ କରାଯାଇଛି। ପ୍ରତି ଦିନ ୬ଜଣ ରୋଗୀ ଡାଏଲ୍ସିସ ସେବା ପାଇବା ଲାଗି ପ୍ରଥମ ପର୍ଯ୍ୟାୟରେ ବ୍ୟବସ୍ଥା କରାଯାଇଛି। ଏହି ପ୍ରକ୍ରିୟାରେ ମାସକୁ ପ୍ରାୟ ୧୮୦ରୁ ୨୦୦ରୋଗୀ ଡାଏଲିସିସ୍ କେନ୍ଦ୍ର ଦ୍ୱାରା ଉପକୃତ ହେବେ। ପୂର୍ବରୁ ଡାଏଲସିସ୍ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ନୟାନ୍ତ ହେଉଥିଲେ।
ସରକାରୀ ରେକର୍ଡ ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ପ୍ରତି ବର୍ଷ ୫୦ରୁ ଅଧିକ ରୋଗୀ କିଡନୀ ରୋଗରେ ପ୍ରାଣ ହରାଉଛନ୍ତି। ଜିଲ୍ଲା ବାହାରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସଂଖ୍ୟା ୨୦୦ରୁ ଅଧିକ। ତେଣୁ ସ୍ୱାସ୍ଥ୍ୟ ବିଭାଗ ପି.ପି.ପି ମୋଡରେ ରୋଗୀଙ୍କୁ ମାଗଣ ଡାଏଲିସିସ୍ ସେବା ଯୋଗାଇ ଦେଉଛନ୍ତି । ଏଥିପାଇଁ କେଆର ନାମକ ସଂସ୍ଥାକୁ ନିୟୋଜିତ କରାଯାଇଛି । ଡାଏଲିସିସ୍ ପାଇଁ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହ ୬ ଜଣଙ୍କୁ ନିୟୋଜିତ କରାଯାଇଛି ।ମାଲକାନଗିରି ଜିଲ୍ଲାରେ ଅଧିକାଂଶ ନଳକୂଅରୁ ବାହାରୁ ଥିବା ଲୌହ ଏବଂ ବିଶାକ୍ତ ରସାୟନିକ ଯୁକ୍ତ ପାଣି ଯୋଗୁଁ କିଡନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଡାଏଲିସିସ୍ କେନ୍ଦ୍ର ସମେତ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ଦାବୀ ହୋଇଛି ।

Comments are closed.