Odisha Link
Bridging the Missing Links in Odisha

ରାଜ୍ୟରେ ୧,୨୦,୫୧୨ଟି ପଦବି ଖାଲି

ଭୁବନେଶ୍ବର: ରାଜ୍ୟ ସରକାର ରାଜ୍ୟର ବିକାଶ ପାଇଁ ମୁଖ୍ୟତଃ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି ବୋଲି ସର୍ବଦା କହି ଆସୁଛନ୍ତି। କିନ୍ତୁ ଏହି ତିନିଟି ବିଭାଗରେ ସବୁଠୁ ଅଧିକ ପଦବି ଖାଲି ପଡ଼ିଛି। ଗତକାଲି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସରକାରଙ୍କ ବିଭିନ୍ନ ବିଭାଗରେ କେତେ କେତେ ପଦବି ଖାଲି ପଡ଼ିଛି ସେ ନେଇ ତଥ୍ୟ ରଖିଥିଲେ। ସେ କହିଛନ୍ତି ଯେ, ମାର୍ଚ୍ଚ ୩୧, ୨୦୧୮ ସୁଦ୍ଧା ରାଜ୍ୟରେ ମୋଟ୍ ୪,୯୭,୨୫୭ଟି ଅନୁମୋଦିତ ପଦବି ଥିବାବେଳେ ୧,୨୦,୫୧୨ଟି ଖାଲି ପଡ଼ିଥିଲା। ସେହିପରି ୮୫,୭୬୪ଟି ଗ୍ରାଣ୍ଟ-ଇନ୍-ଏଡ୍‌ ପଦବି ଥିବାବେଳେ ୧୧୦୦୬ଟି ପଦବି ଖାଲି ପଡ଼ିଛି। ୧୯୯୯ରୁ ୨୦୦୮ ମଧ୍ୟରେ ୪୧୩୬୫ଟି ପଦବି ଉଚ୍ଛେଦ କରାଯାଇଛି।

କେଉଁ ବିଭାଗରେ କେତେ ପଦବି ଖାଲି ଅଛି ଜାଣନ୍ତୁ

  • ଗୃହ ବିଭାଗରେ ୧୬,୭୩୧ଟି ପଦବି ଖାଲି ରହିଛି।
  • ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୭୩୦୮ଟି ପଦବି ଖାଲି ରହିଛି।
  • ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୬୦୦୬ଟି ପଦବି ଖାଲି ପଡ଼ିଛି।
  • କୃଷି, ଜଳସମ୍ପଦ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଯଥାକ୍ରମେ ୫୪୬୨, ୫୭୬୩ ଏବଂ ୭୩୯୦ଟି ପଦବି ଖାଲି ପଡ଼ିଛି। ମୋଟ୍‌ ୪୧ଟି ବିଭାଗରୁ ୧୯ଟି ବିଭାଗରେ ହଜାରେରୁ ଅଧିକ ପଦବି ଖାଲି ପଡ଼ିଛି।
  • ସାଧାରଣ ଅଭିଯୋଗ ଏବଂ ପେନସନ୍ ପ୍ରଶାସନ ବିଭାଗରେ ସବୁଠୁ କମ୍ ୭ଟି ପଦବି ଖାଲି ପଡ଼ିଛି।
  • ପୁଲିସ ବିଭାଗ:
    ସେହିପରି ରାଜ୍ୟରେ କେ‌ଉଁ ଗ୍ରେଡ୍‌ରେ କେତେ ପୁଲିସ ଅଧିକାରୀ ଅଛନ୍ତି, କେତେ ପଦବି ଖାଲି ପଡ଼ିଛି ବୋଲି ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରିଥିଲେ। ଏହି ପ୍ରଶ୍ନର ଉତ୍ତର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଦେଇଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ, ଓଡ଼ିଶା ପୁଲିସରେ ମେ’ ୧, ୨୦୧୯ ସୁଦ୍ଧା ଗ୍ରୁପ୍‌-ଏରେ ୧୦୨୮ଟି ପଦବି ଥିବାବେଳେ ଏଥିରେ ୪୮୭ଟି ପଦବି ଖାଲି ପଡ଼ିଛି। ଗ୍ରୁପ୍‌ ବିରେ ୫୯୬୮ଟି ପଦବି ଥିବାବେଳେ ୨୦୫୦ଟି, ଗ୍ରୁପ୍‌ ସିରେ ୬୦୨୪୧ଟି ପଦବିରୁ ୫୭୮୧ଟି ପଦବି ଖାଲି ପଡ଼ିଛି। ଏହିପରି ମୋଟ୍‌ ୬୭୨୩୭ଟି ପଦବିରୁ ୮୩୧୮ଟି ପଦବି ଖାଲି ପଡ଼ିଛି।
  • ସ୍ବାସ୍ଥ୍ୟ ବିଭାଗ:
    ସ୍ବାସ୍ଥ୍ୟ ବିଭାଗରେ ସ୍ଥିତି କେତେ ଦୟନୀୟ ଅଛି ତାହା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଉତ୍ତରରୁ ଜଣାପଡ଼ିଛି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନ ରାଜ୍ୟର କେଉଁ ଜିଲ୍ଲାରେ କେତେ ଡାକ୍ତର ପଦବି ଖାଲି ପଡ଼ିଛି ତାର ଉତ୍ତର ଦେଇ ମନ୍ତ୍ରୀ କହିଲେ ଯେ, ରାଜ୍ୟରେ ୬୭୧୯ଟି ଡାକ୍ତର ପଦବି ଥିବାବେଳେ ଏବେ ୩୭୪୧ଜଣ ଡାକ୍ତର ଅଛନ୍ତି। ମୋଟି ଅନୁମୋଦିତ ପଦବିର ୪୪.୩୨% ଡାକ୍ତର ପଦବି ଖାଲି ପଡ଼ିଛି। ସବୁଠୁ ଅଧିକ ଡାକ୍ତର ପଦବି ମୟୂରଭଞ୍ଜ ଜିଲ୍ଲାରେ ଖାଲି ପଡ଼ିଛି। ଏଠାରେ ୪୦୭ଟି ପଦବି ଥିବାବେଳେ ୧୯୯ଟି ଖାଲି ପଡ଼ିଛି। କିନ୍ତୁ ମୋଟ୍ ପଦବି ହାରକୁ ଦେଖିଲେ ଭଦ୍ରକରେ ସର୍ବାଧିକ ୫୪.୪୪% ଡାକ୍ତର ପଦବି ଖାଲି ପଡ଼ିଛି। ୧୦ଟି ଜିଲ୍ଲାରେ ୫୦%ରୁ ଅଧିକ ଡାକ୍ତର ପଦବି ଖାଲି ପଡ଼ିଛି। ସବୁଠୁ କମ୍‌ ଡାକ୍ତର ପଦବି କ୍ୟାପିଟାଲ ହସ୍ପିଟାଲରେ ୧୨% ଏବଂ କଟକ ଜିଲ୍ଲାରେ ୧୫.୯୧% ପଡ଼ିଛି।

Comments are closed.