Odisha Link
Bridging the Missing Links in Odisha

ଭୁଶୁଡ଼ିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସ ପାଚେରୀ କାନ୍ଥ

ବ୍ରହ୍ମପୁର: ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ହଷ୍ଟେଲ୍‌ରେ ଏକ ଅଘଟଣ ଘଟିଛି। ଛାତ୍ରୀ ନିବାସର କାନ୍ଥ ଓ ପାଚେରୀ ଭୁଶୁଡ଼ି ପଡ଼ିଛି। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛି ଛାତ୍ରୀଙ୍କ ଜୀବନ। ୧୯୭୯ ମସିହାରେ ପ୍ରତିଷ୍ଠା ହୋଇଥିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଶାବେରୀ ଛାତ୍ରୀ ନିବାସ। ଏଠାରେ ୧୦୭ ଜଣ ଛାତ୍ରୀ ରହୁଛନ୍ତି। ଏବେ ବିଶ୍ୱବିଦ୍ୟାଳୟ ଖୋଲା ଥିବାରୁ ସମସ୍ତ ଛାତ୍ରୀ କ୍ଲାସ୍‌ ପାଇଁ ଯାଇଥିଲେ। କେବଳ ୨ରୁ ୩ ଜଣ ଛାତ୍ରୀ ହଷ୍ଟେଲ ରୁମ୍‌ରେ ରହିଥିଲେ।
ତେବେ ଆଜି ଅପରାହ୍ନ ୨ଟା ହଠାତ୍‌ କାନ୍ଥ ସହ ପାଚେରୀ ଭୁଶୁଡ଼ି ପଡ଼ିଥିଲା। ଜୀବନ ବିକଳରେ ହଷ୍ଟେଲ୍‌ରେ ଥିବା ଛାତ୍ରୀମାନେ ତଳକୁ ଆସି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକଥା ଜଣାଇଥିଲେ। ପରେ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ଅନ୍ୟ ହଷ୍ଟେଲ୍‌କୁ ସ୍ଥାନାନ୍ତରିତ କରିଛନ୍ତି। କେଉଁ କାରଣରୁ ହଷ୍ଟେଲ୍‌ର କାନ୍ଥ ଓ ପାଚେରୀ ଭୁଶୁଡ଼ିଲା, ତା’ର ତଦନ୍ତ ଚାଲିଛି।
ମିଳିଥିବା ସୂଚନା ଅନୁଯାୟୀ, ଶାବେରୀ ହଷ୍ଟେଲ୍‌ର ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରାଯାଉନଥିଲା। ହଷ୍ଟେଲ୍‌ର ସ୍ଥିତି ଖରାପ ଥିବା ପୂର୍ବରୁ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରୁଥିଲେ। ହେଲେ କର୍ତ୍ତୃପକ୍ଷ ଲୋକ ଦେଖାଣିଆ ଭାବେ ମରାମତି କରି ଚୁପ୍‌ ବସୁଥିଲେ। ପ୍ରଶ୍ନ ଉଠୁଛି, ଯଦି ଛାତ୍ରୀମାନେ ହଷ୍ଟେଲ୍‌ରେ ଥିବା ବେଳେ କାନ୍ଥ ଓ ପାଚେରୀ ଭୁଶୁଡ଼ି ଥାଆନ୍ତା ତେବେ କଣ ହୋଇଥାଆନ୍ତା? ଆଜି କ୍ଲାସ ଚାଲିଥିବାରୁ ୧୦୭ ଛାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି।

Comments are closed.