Odisha Link
Bridging the Missing Links in Odisha

ରାଜଧାନୀରେ ଭୂତ !

ଭୁବନେଶ୍ବର: ଆପଣ ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ବରରେ ବୁଲୁଛନ୍ତି କି? ଯଦି ବୁଲୁଛନ୍ତି ତେବେ ସାବଧାନ ରୁହନ୍ତୁ। କାରଣ ଆପଣ ବିଳମ୍ବିତ ରାତିରେ ଯାତ୍ରା କରୁଥିଲେ ଆପଣଙ୍କୁ ଝରଣାରୁ ପାଣି ବହୁଥିବାର ଶବ୍ଦ ସହ ଚଢ଼େଇର କିଚିରି ମିଚିରିର ଶବ୍ଦ ମଧ୍ୟ ଶୁଣାଯିବ। ଆପଣ ଯାଉଥିବା ସମୟରେ ଆପଣଙ୍କୁ ପଶୁ ପକ୍ଷୀଙ୍କ ସ୍ବର ମଧ୍ୟ ଶୁଣିବାକୁ ମିଳିବ। ଆଉ ଆପଣ ଗାଡ଼ି ରଖି ଯଦି ରାସ୍ତାର ଏଣେତେଣେ ଚାହିଁବେ ଆପଣଙ୍କୁ କିଛି ଦୃଶ୍ୟମାନ ହେବ ନାହିଁ। ଏଥି ସହିତ ଆପଣଙ୍କ ମନରେ ଭୟ ଜାତ ହେବ। ତେବେ ଆପଣଙ୍କୁ ସତର୍କ କରାଇ ଦେବାକୁ ଆମେ କହି ରଖୁଛି ଯେ, ଆପଣ ଯଦି ବିଳମ୍ବିତ ରାତିରେ ରୂପାଲି ଟ୍ରାଫିକ୍‌ ଛକ ବାଟ ଦେଇ ଯିବା ବେଳେ ଅସମୟରେ ଏମିତି କିଛି ଅସ୍ବାଭାବିକ ଶବ୍ଦ ଶୁଣନ୍ତି ତେବେ ଚମକିବେ ନାହିଁ। କାରଣ ରୂପାଲି ଛକରେ ଲାଗିଥିବା ଡିସ୍‌ପ୍ଲେ ବୋର୍ଡରେ ବୈଷୟିକ ତ୍ରୁଟି ଯୋଗୁଁ ରାତିରେ କେବଳ ଅଡିଓ ଶୁଭୁଥିବାରୁ ଏପରି ଶବ୍ଦ ଶୁଭାଯାଉଛି।

ସୂଚନାଥାଉକି, ହକି ବିଶ୍ବକପ୍‌ ସମୟରେ ଓଡ଼ିଶାର କଳା, ପର୍ଯ୍ୟଟନ, ସ୍ମାର୍ଟ ସହରର ବ୍ୟବସ୍ଥା ସମ୍ପର୍କରେ ପ୍ରଚାର ପ୍ରସାର ପାଇଁ ବିଡିଏ ପକ୍ଷରୁ ଭୁବନେଶ୍ବରର କିଛି ପ୍ରମୁଖ ଛକ ସ୍ଥାନମାନଙ୍କରେ ୯ଟି ଡିସ୍‌ପ୍ଲେ ବୋର୍ଡ ଲାଗିଥିଲା। କଳ୍ପନା, ଲିଙ୍ଗରାଜ ମନ୍ଦିର ନିକଟ ସମେତ ଅନେକ ପ୍ରମୁଖ ଛକମାନଙ୍କରେ ଏହା ଲଗାଯାଇଛି। ସହରକୁ ଖେଳ ଦେଖିବା ଉଦ୍ଦେଶ୍ୟରେ ଆସି ସହର ବୁଲାବୁଲି କରିବା ସମୟରେ ପର୍ଯ୍ୟଟକଙ୍କ ସମ୍ମୁଖରେ ଓଡ଼ିଶାର ସମୃଦ୍ଧ ଗାରିମାକୁ ଉପସ୍ଥାପିତ କରିବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିଲା। ଏଥିରେ ସଂଗ୍ରହାଳୟ, କଳାଭୂମି, ଏକାମ୍ର ହାଟ, ମୋ ବସ୍‌, ମୋ ସାଇକେଲ୍‌, ଜୈବ ପର୍ଯ୍ୟଟନ ବାବଦରେ ଭିଡିଓ ଦେଖିବାକୁ ମିଳୁଛି।

ମାତ୍ର ରୂପାଲି ଛକରେ ଲାଗିଥିବା ଏହି ଡିସ୍‌ପ୍ଲେ ବୋର୍ଡରେ ଦିନରେ ଉଭୟ ଚିତ୍ର ଓ ଶବ୍ଦ ଦେଖିବାକୁ ଓ ଶୁଣିବାକୁ ମିଳୁଥିଲେ ହେଁ ରାତିରେ ଚିତ୍ର କଟିଯାଇ କେବଳ ଅଡ଼ିଓ ଶୁଣିବାକୁ ମିଳୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ସନ୍ଦୀପ। ସ୍ଥାନୀୟ ଲୋକଙ୍କ କହିବା ଜଣେ ବ୍ୟକ୍ତି ଏଇ ବାଟ ଦେଇ ଯାଉଥିବା ବେଳେ ଏକ ୪ ଚକିଆ ଗାଡ଼ି ମାଡ଼ି ଆସୁଥିବା ଶବ୍ଦ ଶୁଣାଯିବାରୁ ବାଇକ୍‌ ଚାଳକ ଜଣକ ଅଟକିଯାଇଥିଲେ। କିନ୍ତୁ ସେ ‌ପାଖରେ ସେମିତି କୌଣସି ଗାଡ଼ି ନଦେଖିବାରୁ ଆଶ୍ଚର୍ଯ୍ୟ ହୋଇ ଏଣେତେଣେ ଚାହିଁବା ପରେ ସେଇ ଡିସ୍‌ପ୍ଲେ ବୋର୍ଡ ଆଡ଼ୁ ସେଇ ସ୍ବର ଆସୁଥିବା ଅନୁଭବ କ‌ଲେ। କିଛିଦିନ ହେବ ଏଭଳି ବୈଷୟିକ ସମସ୍ୟା ଥିବାରୁ ଏହାକୁ ସଜାଡ଼ିବାକୁ ସ୍ଥାନୀୟ ବାସିନ୍ଦା କହିଛନ୍ତି।

Comments are closed.