Odisha Link
Bridging the Missing Links in Odisha

ନରସିଂହ-ବିଷ୍ଣୁ କଥା କଟାକଟି

ଭୁବନେଶ୍ୱର : ସୋମବାର ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି । ଏକ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଛି । ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସମ୍ପର୍କରେ ଆଲୋଚନା ବେଳେ ନରସିଂହ ମିଶ୍ର ଓ ବିଷ୍ଣୁ ସେଠୀ ପରସ୍ପରକୁ ଟାର୍ଗେଟ କରିଛନ୍ତି ।
ପ୍ରଥମେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କେନ୍ଦ୍ର ସରକାରଙ୍କ ଅଭିମୁଖ୍ୟକୁ ସୋମାଲୋଚନା କରି ବର୍ଷିଥିଲେ । ସେ କହିଥିଲେ ଯେ, କିଛି ଲୋକ ଗାନ୍ଧୀଙ୍କ ହତ୍ୟାକାରୀ ଗଡସେ ଫଟୋକୁ ପୂଜା କରୁଛନ୍ତି । ସେମାନେ ଗଡସେର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ଭଳି ଜଣାପଡ଼ୁଛି ବୋଲି ଶ୍ରୀ ମିଶ୍ର କହିଥିଲେ ।
ଆଜି ବିଧାନସଭାର ଶୂନ୍ୟକାଳରେ ନରସିଂହ ମିଶ୍ର ଅଭିଯୋଗ କରିଥିଲେ କି, ଜାତିର ପିତା ମହାତ୍ମା ଗାନ୍ଧୀ ଯିଏ କି ଗୋରା ସରକାରଙ୍କ କବଳରୁ ଦେଶକୁ ରକ୍ଷା କରିଥିଲେ ତାଙ୍କୁ ଆଜିର ଦିନରେ ସମସ୍ତେ ଭୁଲି ଗଲେଣି । ଏପରିକି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିନ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା ହେଲେ କିଛି ଲାଭ ହେଲାନି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଶାସନରେ ଗାନ୍ଧୀଙ୍କ ସହିଦ ଦିବସରେ ହତ୍ୟାକାରୀ ନାଥୁରାମ ଗଡସେକୁ ପୂଜା କରାଯାଉଛି ଓ ଗାନ୍ଧୀଙ୍କ ଫଟୋକୁ ଗୁଳି କରାଯାଉଛି । କେନ୍ଦ୍ର ସରକାରଙ୍କ ଅନେକ ସଦସ୍ୟ ଗାନ୍ଧୀଙ୍କ ବିଷୟରେ ବିବାଦୀୟ ଟିପ୍ପଣୀ ମଧ୍ୟ ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ ନରସିଂହ ।
ତେବେ ନରସିଂହ ମିଶ୍ରଙ୍କ ମନ୍ତବ୍ୟର ଜବାବ ଦେଇଥିଲେ ବିଷ୍ଣୁ ସେଠୀ । ସେ କହିଥିଲେ ଯେ, କାହାକୁ ଅଙ୍ଗୁଳି ଉଠାଇବା ପୂର୍ବରୁ ପ୍ରଥମେ ନିଜକୁ ଦେଖନ୍ତୁ । ଆପଣଙ୍କ ମଣିଶଙ୍କର ଆୟର ଓ ସିଦ୍ଧୁ କଣ କହୁଛନ୍ତି । ଏହା ଉପରେ ପୂର୍ଣ୍ଣାଙ୍ଗ ଆଲୋଚନା ହେଉ । ଏନେଇ ଆମେ ପ୍ରସ୍ତୁତ ବୋଲି ଶ୍ରୀ ସେଠୀ କହିଥିଲେ ।

Comments are closed.