Odisha Link
Bridging the Missing Links in Odisha

ରାଜ୍ୟସଭାରେ ତିନି ତଲାକ ବିଲ ପାରିତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍‌ ବିଲ୍‌ ବା ବିବାଦୀୟ ମହିଳା ସୁରକ୍ଷା (ବିବାହ ଅଧିକାର ଆଇନ) ଆଜି ରାଜ୍ୟସଭାରେ ପାରିତ ହୋଇଯାଇଛି। ଦୀର୍ଘ ଡିବେଟ୍‌ ପରେ ଏହି ବିଲ ସପକ୍ଷରେ ୯୯ ଟି ଭୋଟ ଓ ବିରୋଧରେ ୮୪ ଟି ଭୋଟ ପଡିଥିଲା। ଏହା ପୂର୍ବରୁ ଏହି ବିଲ୍‌କୁ ଏକ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିରୋଧୀ ଆଣିଥିବା ମୋସନ୍‌ ୧୦୦-୮୪ ଭୋଟ୍‌ରେ କାଟ୍‌ ଖାଇଥିଲା। ଭୋଟିଂ ବେଳେ ଏଆଇଡିଏମକେ,ଜେଡିୟୁ,ଟିଆରଏସ, ଓ ବିଏସପି କକ୍ଷତ୍ୟାଗ କରିଥିଲେ। ଅପରପକ୍ଷେ ନରେନ୍ଦ୍ର ମୋଦିଙ୍କ ସରକାରର ଏହା ବୃହତ ରାଜନୀତିକ ବିଜୟ ବୋଲି କୁହାଯାଉଛି।

ବର୍ତ୍ତମାନ ବିଦେଶ ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଏହି ବିଲ୍‌ ଅନୁମୋଦନ ନିମନ୍ତେ ଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏବଂ ସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ଏହା ଫେବୃଆରୀରେ ଜାରି କରାଯାଇଥିବା ଟ୍ରିପଲ ତଲାକ୍‌ ଅର୍ଡିନାନ୍ସର ସ୍ଥାନ ନେବ। ୨୦୧୭ ମସିହା ଅଗଷ୍ଟରେ ସୁପ୍ରିମ୍‌କୋର୍ଟ ଟ୍ରିପଲ ତଲାକ୍‌ ବେଆଇନ ବୋଲି ରାୟ ଦେବା ପରେ ଏହି ବିଲ୍‌ ଅଣାଯାଇଥିଲା। ୨୦୧୭ ମସିହା ଡିସେମ୍ବର ମାସଠାରୁ ଏହି ବିଲ୍‌କୁ ନେଇ ବିରୋଧୀ ଏବଂ ସରକାର ମୁହାଁମୁହିଁ ହୋଇଆସୁଥିଲେ।

ସୂଚନାଥାଉକି, ସୁପ୍ରିମ୍‌କୋର୍ଟ ପୂର୍ବରୁ ସ୍ପଷ୍ଟ କରିସାରିଥିଲେ ଯେ ତତ୍କାଳ ଟ୍ରିପଲ ତଲାକ୍‌ ଅଣସାମ୍ବିଧାନିକ। ୩ ଥର ତଲାକ୍‌ କହି ଛାଡ଼ପତ୍ର ଦେବା ଅବୈଧ ଏବଂ ବେଆଇନ ବୋଲି ସୁପ୍ରିମ୍‌କୋର୍ଟ ତାଙ୍କ ରାୟରେ କହିଥିଲେ। ଏହାକୁ ଅପରାଧର ମାନ୍ୟତା ଦେବା ପାଇଁ ଏବଂ ମୁସଲିମ୍‌ ମହିଳାଙ୍କ ସମ୍ମାନ ରକ୍ଷା ପାଇଁ ଉଦ୍ଦିଷ୍ଟ ଏହି ବିଲ୍‌ ଆଇନରେ ପରିଣତ ହେଲେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମିଳିବ। ଏହି ବିଲ୍‌ ପୂର୍ବ ସରକାରରେ ମଧ୍ୟ ଆଗତ ହୋଇଥିଲା, କିନ୍ତୁ ରାଜ୍ୟସଭାରେ ପାରିତ ହେବାରେ ବିଳମ୍ବ ଯୋଗୁ ଏବଂ ସରକାରର ଅବଧି ସରିଯିବାରୁ ଏହାର ବିଲୋପ ଘଟିଥିଲା। ଗତ ଜୁଲାଇ ୨୫ ରେ ଲୋକସଭାରେ ଏହି ବିଲ୍‌ ପାଶ ହୋଇଥିଲା। ଏହି ବିଲ ସପକ୍ଷରେ ୩୦୩ ଟି ଭୋଟ ପଡିଥିଲା। ଏହି ବିଲ ଆଇନରେ ପରିଣତ ହେଲେ ମୁସଲିମ ମହିଳାଙ୍କୁ ଗୋଟିଏ ଥରରେ ତିନିଥର ତଲାକ କହି ଛାଡପତ୍ର ଦେବା ବେଆଇନ ହୋଇଯିବ। ଦୋଷୀ ବିରୋଧରେ ଜେଲଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ଆଗତ କରିଥିଲେ।

Comments are closed.