Odisha Link
Bridging the Missing Links in Odisha

କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ନୂଆଦିଲ୍ଳୀ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନଠାରେ କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ସହ ମାଧ୍ୟମିକ ଶିକ୍ଷା ସମ୍ବନ୍ଧ ନେଇ ବ୍ୟାପକ ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ ଫନି ବାତ୍ୟା ବିଧ୍ବସ୍ତ ବିଦ୍ୟାଳୟଗୁଡ଼ିକର ମରାମତି ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ୯୬ କୋଟି ଟଙ୍କା ସହାୟତା ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତି। ଏତଦ୍‌ବ୍ୟତୀତ ମନ୍ତ୍ରୀ ଶ୍ରୀ ଦାଶ ସର୍ବଭାରତୀୟ ସ୍ତରରେ ଏକକ ଓଟିଇଟି ପରୀକ୍ଷା ପ୍ରଚଳନ କରିବା, ମଧ୍ୟାହ୍ନ ଭୋଜନରେ ବୃଦ୍ଧି କରାଯାଇଥିବା ପାରିଶ୍ରମିକ ବାବଦରେ ମୁଣ୍ଡ ପିଛା ପ୍ରତି ପାଚିକା ସହାୟକଙ୍କୁ ୬୦୦ ଟଙ୍କା ଅଧିକ ପ୍ରଦାନ କରିବା ପାଇଁ ଦାବି ଜଣାଇଥିଲେ।

ପ୍ରାଥମିକ ଶିକ୍ଷକମାନଙ୍କର ଆବଶ୍ୟକ ଯୋଗ୍ୟତା ପାଇଁ ଅବଧୀ ସୀମାକୁ ୩୧.୦୩.୨୦୧୯ ପରିବର୍ତ୍ତେ ୩୧.୦୩.୨୦୨୦କୁ ବୃଦ୍ଧି କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ନୂତନ ଶିକ୍ଷାନୀତି ଉପରେ ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନୂତନ ଶିକ୍ଷାନୀତି- ୨୦୧୯ ଉ ପରେ ବିଭିନ୍ନ ଅନୁଷ୍ଠାନର ପ୍ରତିକ୍ରିୟା ସଂଗ୍ରହ ପାଇଁ ଥିବା ଅବଧିକୁ ବୃଦ୍ଧି କରିବା ନିମନ୍ତେ ମଧ୍ୟ ଅନୁରୋଧ କରିଥିଲେ। କେନ୍ଦ୍ରୀୟ ଶିକ୍ଷକ ଶିକ୍ଷା ଓ ସମଗ୍ର ଶିକ୍ଷା ଯୋଜନାରେ କେନ୍ଦ୍ର ସରକାରଙ୍କ ଅଂଶଧନ ବାବଦକୁ ୨୨୯୧.୫୩ ଲକ୍ଷ ଅନୁଦାନ ଦେବାକୁ ମନ୍ତ୍ରୀ ଶ୍ରୀ ଦାଶ ଅନୁରୋଧ କରିଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନ ଅନ୍ତର୍ଗତ ଆଇସିଟି ପ୍ରୋଗାମରେ ପଡ଼ି ରହିଥିବା କାର୍ଯ୍ୟ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ୧୩୩୦୫.୪୦ ଲକ୍ଷ ମଂଜୁରୀ କରିବା ପାଇଁ ୨୦୧୮ ମସିହା ମଇ ମାସ ଓ ୨୦୧୯ ମାର୍ଚ୍ଚ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପତ୍ର ଦିଆଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ। ଓଡ଼ିଶା ସ୍କୁଲ ଏଜୁକେସନ୍‌ ପ୍ରୋଗ୍ରାମ ଅଥରିଟି ଅନ୍ତର୍ଗତ ବିଆର୍‌ସି କୋଡିନେଟର ପାଇଁ ଅତିରିକ୍ତ ଖର୍ଚ୍ଚ ୧୦୬୭.୭୯୭ ଲକ୍ଷ ଟଙ୍କା ଦେବା ପାଇଁ ବୋଲି ମନ୍ତ୍ରୀ ଶ୍ରୀ ଦାଶ କେନ୍ଦ୍ରମନ୍ତ୍ରୀଙ୍କଠାରେ ଦାବି ଉପସ୍ଥାପନ କରିଥିଲେ।

Comments are closed.