Odisha Link
Bridging the Missing Links in Odisha

ବିଧାନସଭା: ରାଜ୍ୟରେ ନିର୍ମିତ ହେବ ଆଉ ୪ ପ୍ଲାନେଟୋରିୟମ୍‌

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କାରଣ ରାଜ୍ୟ ସରକାର ଆଗାମୀ ଦିନରେ ରାଜ୍ୟରେ ୪ଟି ପ୍ଲାନୋଟେରିୟମ୍‌ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ୪ଟି ପ୍ଲାନୋଟେରିୟମ୍‌ ଯଥାକ୍ରମେ ଗୋପାଳପୁର, ରାୟଗଡ଼ା, କେଉଁଝର ଓ ବାରିପଦାରେ ନିର୍ମାଣ ହେବ। ଏଥିପାଇଁ ୩୦ କୋଟି ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟ୍ଟକଳ କରାଯାଇଛି। ଏ ନେଇ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଓ କାରିଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୃହରେ ସୂଚନା ଦେଇଛନ୍ତି।

ଆଜି ପ୍ରଶ୍ନ କାଳରେ ବିଜ୍ଞାନ ଓ କରିଗରୀ ମନ୍ତ୍ରୀଙ୍କ ବିଧାୟକ ସୁଧୀର ବିଶ୍ୱାଳଙ୍କ ତରଫରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିଥିଲେ। ବିଧାୟକ ଶ୍ରୀ ବିଶ୍ୱାଳ ରାଜ୍ୟରେ କେତୋଟି ପ୍ଲାନେଟୋରିୟମ୍‌ ଅଛି ଓ ଆଗକୁ ପ୍ଲାନୋଟେରିୟମ୍‌ ପ୍ରତିଷ୍ଠା ହେବା ନେଇ ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତର ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଆଗାମୀ ଦିନରେ ଗୋପାଳପୁର, ରାୟଗଡ଼ା, କେଉଁଝର ଓ ବାରିପଦାରେ ନିର୍ମାଣ ହେବ ପ୍ଲାନୋଟେରିୟମ୍‌। ଏଥିପାଇଁ ୩୦ କୋଟି ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟ୍ଟକଳ କରାଯାଇଛି। ଗୋପାଳପୁର ପାଇଁ ୯ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଆଉ ତିନୋଟି ସ୍ଥାନ ପାଇଁ ୭ କୋଟି ଲେଖାଏଁ ୨୧ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ୪ଟି ପ୍ଲାନେଟୋରିୟମ୍‌ ନକରି ପଶ୍ଚିମ ଓଡ଼ିଶା କ୍ଲଷ୍ଟର କରି ଗୋଟିଏ ଓ ପୂର୍ବାଞ୍ଚଳ କ୍ଲଷ୍ଟର କରି ଗୋଟିଏ ପ୍ଲାନେଟୋରିୟମ୍‌ କରିବାକୁ ବିଧାୟକ ସୁଧୀର ବିଶ୍ୱାଳ ପ୍ରସ୍ତାବ ଦେଇଥିଲେ।

ଏହାରି ମଧ୍ୟରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ସୁବ୍ରତ ତରାଇ ସମସ୍ତ ଜିଲ୍ଲାରେ ଭ୍ରାମ୍ୟମାଣ ପ୍ଲାନେଟୋରିୟମ୍‌ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଗ୍ରହଣ କରିଥିଲେ। ମନ୍ତ୍ରୀ କହିଥିଲେ ଯେ ଦୁଇଟି ସ୍ଥାନରେ ଯଥା ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଓ କପିଳାଶ ବିଜ୍ଞାନ କେନ୍ଦ୍ର ରହିଛି। ତେବେ ସମସ୍ତ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଖୋଲାଯିବ। ପ୍ରାଥମିକ ପର‌୍ୟ୍ୟାୟରେ ୧୦ ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।

ସୂଚନାଥାଉକି, ରାଜ୍ୟରେ ବର୍ତ୍ତମାନ ୨ଟି ପ୍ଲାନେଟୋରିୟମ୍ ଅଛି। ଗୋଟିଏ ରାଜଧାନୀ ଭୁବନେଶ୍ବରରେ ଥିବାବେଳେ ଅନ୍ୟଟି ସମ୍ବଲପୁରରେ ଅଛି।

Comments are closed.