Odisha Link
Bridging the Missing Links in Odisha

ଉତ୍କଳ ବିଶ୍ବବିଦ୍ୟାଳୟର ଆଇନ ବିଭାଗର ବିଦାୟକାଳୀନ ସଭା ଓ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗରେ ଗତକାଲି ୨୦୧୭-୧୯ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ ଚଳିତବର୍ଷର ଓଡିଶା ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବାଣୀବିହାରର ୭ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିନିମନ୍ତେ ସ୍ନାତକୋତ୍ତର ଆଇନ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍ସବରେ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ଃ ମଧୁସୂଦନ ଦାଶଙ୍କ ସମେତ ପ୍ରାଧ୍ୟାପକ ଡ଼ଃ ମନୋଜ କୁମାର ସଦୁଆଲ, ସହକାରୀ ପ୍ରଫେସର ଡ଼ଃ ଜ୍ଞାନେନ୍ଦ୍ର କୁମାର ସାହୁ ଓ ଗବେଷକ ଗିରୀଶ ରଞ୍ଜନ ପ୍ରମୁଖ ଅତିଥି ଭାବରେ ଆସନ ଅଳଙ୍କୃତ କରିଥିଲେ।

ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯିବା ସହିତ ଓଜେଏସ ପରୀକ୍ଷାରେ ସଫଳ ହୋଇଥିବା ବାଣୀବିହାର ଆଇନ ବିଭାଗର ଛାତ୍ରଛାତ୍ରୀ ଇପ୍ସିତା ଅଭିନନ୍ଦିତା ମିଶ୍ର,ରୀତି ତ୍ରିପାଠୀ, ସତ୍ୟନାରାୟଣ ଦାଶ ଓ ପରିଣୀତା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଠିନ ପରିଶ୍ରମ, ନିଷ୍ଠା ଏବଂ ଅଧ୍ୟବସାୟ ହିଁ ସଫଳତାର ଚାବିକାଠି ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହିତ ଉପସ୍ଥିତ କନିଷ୍ଠ ଛାତ୍ରଛାତ୍ରୀଙ୍କୁ ବହୁମୂଲ୍ୟ ଉପଦେଶମାନ ପ୍ରଦାନ କରିଥିଲେ। ଏହାପରେ ବିଦାୟୀ ସ୍ନାତକୋତ୍ତର ଆଇନ ଛାତ୍ରଛାତ୍ରୀଙ୍କୁ ଉପଢୌକନ ଓ ଉପହାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବା ସହିତ ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ ପାଇଁ ଆଧୁନିକ ନୃତ୍ୟ ସଙ୍ଗୀତର ଆୟୋଜନ ମଧ୍ୟ କରାଯାଇଥିଲା

Comments are closed.