ବର୍ଣ୍ଣବୋଧ ପୋଡ଼ି ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ମଧୁ ବର୍ଣ୍ଣବୋଧ ପୋଡ଼ିବା ଘଟଣାରେ ସାକେତ୍ ଶ୍ରୀଭୂଷଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମେଲ୍ଛାମୁଣ୍ଡା ପୋଲିସ୍। ଲୋକକବି ହଳଧର ନାଗଙ୍କ ଫଟୋ ବ୍ୟବହାର କରି ଓଡ଼ିଆ ଭାଷା ଓ ବର୍ଣ୍ଣବୋଦ ବିରୋଦରେ ଏଭଳି କାଣ୍ଡକୁ ବିରୋଧ କରି ନିଜେ ଶ୍ରୀ ନାଗ ଗତକାଲି ରାତିରେ ମେଲଛାମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଶ୍ରୀ ନାଗଙ୍କ ଏତଲା ଆଧାରେର ପୋଲିସ୍ ଆଇପିସି ଧାରା ୪୧୯, ୪୨୦ ଏବଂ ୬୬ରେ ମାମଲା ରୁଜୁ କରି ଗାଇସିଲେଟ ନିବାସୀ ସାକେତ ଶ୍ରୀଭୂଷଣ ସାହୁଙ୍କୁ ଥାନାକୁ ଡକାଇ ପଚରାଉଚୁରା କରିଥିଲେ। ଘଟଣାକୁ ସୋସିଆଲ ମିଡି ଓ ବୁଦ୍ଧିଜୀବୀ ମହଲରେ ବ୍ୟାପକ ବିରୋଧ ପରେ ଶ୍ରୀ ସାହୁଙ୍କୁ ଗିରଫ କରାଯାଇଛି।
ଗତକାଲି (ଅଗଷ୍ଟ ୧୫) ଓଡ଼ିଆ ଭାଷା-ସାହିତ୍ୟର ଆଦ୍ୟପୁସ୍ତକ ଭାବେ ପରିଚିତ ଛବିଳ ମଧୁ ବର୍ଣ୍ଣବୋଧକୁ ପୋଡ଼ାହେଉଥିବାର ଏକ ଦୃଶ୍ୟ ସୋସିଆଲ ମିଡ଼ିଆ ଫେସବୁକରେ ବୁଲିଥିଲା। ‘କୋସଲରେ କୋସଲି ଚଲ୍ବା, ଉଡ଼ିଆ ନାଇଁ’ ଶୀର୍ଷକରେ ଏକ ୟୁଟ୍ୟୁବ ଭିଡ଼ିଓଟି ବର୍ଷେ ତଳେ ୨୦୧୮ ଅଗଷ୍ଟ ୨୬ରେ ‘ବେନି’ ନାମକ ଏକ ୟୁଟ୍ୟୁବ୍ ଚାନେଲରେ ଛଡ଼ାଯାଇଥିଲା। ଏହାକୁ ଗତକାଲି ‘କୋସଲିସାହିତ୍ୟ ଡଟ୍ ଇନ୍’ ଓ ‘ବେନି’ ନାମକ ଦୁଇଟି ଭିନ୍ନ ଭିନ୍ନ ଫେସବୁକ୍ ପେଜ୍ରେ ସେଆର କରାଯାଇଥିଲା। ଭିଡିଓଟି ସାମାନାକୁ ଆସିବା ପରେ ସୋସିଆଲ ମିଡିଆରେ ବୁଦ୍ଧିଜୀବୀ, ଲେକକ ଓ ସାମ୍ବାଦିକ ତଥା ସାଦାରଣ ଓଡ଼ିଆ ଜନସାଧାରଣ ଏହାର ଘୋର ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ପାଖରେ ଦାବି ରଖିଥିଲେ।
ପଦ୍ମଶ୍ରୀ ହଳଧର ନାଗ ଘଟଣା ସମ୍ପର୍କରେ ଜାଣିବା ପରେ ଯେଉଁମାନେ ବର୍ଣ୍ଣବୋଧ ପୋଡ଼ିଛନ୍ତି, ସେମାନଙ୍କର ନିନ୍ଦା କରିବା ସହ ଫେସବୁକ ବାବଦରେ ନିଜର ଅଜ୍ଞତା ପ୍ରକାଶ କରିଥିଲେ।
ପଶ୍ଚିମ ଓଡ଼ିଶାରେ ଓଡ଼ିଆ ବଦଳରେ କୋଶଳି ଭାଷା ନେଇ ଦାବି ହୋଇ ଆସୁଥିବା ବେଳେ କେତେକେ ଭିନ୍ନ ରାଜ୍ୟ ପାଇଁ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି। ତେବେ ଗାଣତାନ୍ତ୍ରିକ ଉପାୟରେ ନିଜର ଦାବି ଉପସ୍ଥାପନା କରିବା ପରିବର୍ତ୍ତେ କିଛି ଅସାମାଜିକ ତତ୍ତ୍ବ ଓଡ଼ିଆ ଭାଷା ଓ ଓଡ଼ିଶାର ଅପମାନ କରି ନିଜର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛନ୍ତି।