Odisha Link
Bridging the Missing Links in Odisha

ସବୁଜ ଓ ଐତିହ୍ୟ ପୁରୀ ପାଇଁ ନକ୍ସା ପ୍ରସ୍ତୁତ

ପୁରୀ : ଶ୍ରୀମନ୍ଦିର ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇଛନ୍ତି। ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ସହ ଏହାକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମେଘନାଦ ପାଚେରୀ ଚାରିପାଖରୁ ୭୫ମିଟର ପରିଧିରେ ଥିବା ସମସ୍ତ ନିର୍ମାଣ ଉଚ୍ଛେଦ ହେବ। ହଟିବ ସରକାରୀ, ଘରୋଇ କାର୍ଯ୍ୟାଳୟ, ବାସଗୃହ ଏବଂ ଦୋକାନ। ସବୁଜ ଓ ଐତିହ୍ୟ ପୁରୀ ପାଇଁ ଯୋଜନା ପ୍ରସ୍ତୁତ ହେବ। ନିର୍ମାଣ ହେବ ଐତିହ୍ୟ କରିଡର ଏବଂ ସଂଗ୍ରହାଳୟ। ୨୬୫କୋଟି ଟଙ୍କା ମଞ୍ଜୁର କରାଯିବା ସହ ସବୁଜ ଓ ଐତିହ୍ୟ ପୁରୀ ପାଇଁ ନକ୍ସା ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ପର୍ଯ୍ୟନ୍ତ ବଡଦାଣ୍ଡକୁ ଅବରୋଧମୁକ୍ତ କରାଯିବ।
କ୍ୟାବିନେଟ୍ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ପ୍ରାଥମିକ ଆକଳନ ଅନୁଯାୟୀ ୪ ଶହରୁ ଅଧିକ ଦୋକାନ, ୧୫୦ ଘର ଓ ୧୨ ଟି ପୁରାତନ ମଠ ମନ୍ଦିରକୁ ଉଚ୍ଛେଦ କରିବାକୁ ପଡ଼ିବ। ପୁରାତନ ଏମାର ମଠ, ଲଙ୍ଗୁଳି ମଠ, ବଡ଼ ଆଖଡ଼ା ମଠ, ସାନଛତା ମଠ ସହ କାକୁଡ଼ି ଖାଇ, ବାସେଳୀ ଠାକୁରାଣୀ, କପାଳ ମୋଚନ ମନ୍ଦିର ଭଳି ଅନେକ ପୁରାତନ ଐତିହ୍ୟ ଲୋପ ପାଇପାରେ। ଗତ ୨୦୧୫ ମସିହାରେ ଶ୍ରୀମନ୍ଦିର ଚାରିପାଖର ୩୦ ଫୁଟ ପର୍ଯ୍ୟନ୍ତ ନିର୍ମାଣ ଭଙ୍ଗାଯିବା ବେଳେ ୮୯ ଟି କୋଠା କ୍ଷତିଗ୍ରସ୍ତ ହୋଇଥିଲା। ଏବେ ପୁଣି ଉଚ୍ଛେଦ ନିଷ୍ପତ୍ତି ପରେ ପୁରୀରେ ବଡ଼ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି।

Comments are closed.