Odisha Link
Bridging the Missing Links in Odisha

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲା: ସିବିଆଇ ହେପାଜତରେ ରହିବେ ପି.ଚଦାମ୍ବରମ, ଯିବେନି ତିହାର ଜେଲ୍

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚଦାମ୍ବରମଙ୍କୁ ମିଳିଛି ସାମୟିକ ଆଶ୍ବସ୍ତି। କାରଣ ତିହାର ଜେଲ ଯିବେ ନାହିଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ।ଆଜି ସୁପ୍ରିମକୋର୍ଟ ସେପ୍ଟମ୍ବର ୫ ତାରିଖ ପର୍ଯ୍ୟନ୍ତ ପି.ଚିଦାମ୍ବରମଙ୍କୁ ସିବିଆଇ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ତାଙ୍କୁ ଆଉ ତିହାର ଜେଲକୁ ଯିବାକୁ ପଡ଼ିବ ନାହିଁ ବୋଲି ପ୍ରକାଶ ପାଇଛି।

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନର ଶୁଣାଣି କରିବା ସହ ସେପ୍ଟମ୍ବେର ୫ରେ ଅଗାମୀ ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଆର୍.ଭାନୁମତୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଦେଇଛନ୍ତି। ଅନ୍ୟ ପକ୍ଷରେ ସରକାରୀ ପକ୍ଷ ରଖି ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଚିଦମ୍ବରମଙ୍କୁ ଅଧିକ ପଚରାଉଚରାର ଆବଶ୍ୟକତା ନାହିଁ , ଆଇନ ତା’ବାଟରେ ଯାଉ ବୋଲି କହିବା ପରେ ମଧ୍ୟ ଶୀର୍ଷ ଅଦାଲତ ତାଙ୍କୁ ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି।

ଗତକାଲି ସୁପ୍ରିମ୍‌ କୋର୍ଟ ଚିଦମ୍ବରମଙ୍କ ହାଜତ ମିଆଦକୁ ଗୁରୁବାର ପର୍ଯ୍ୟନ୍ତ ବଢ଼ାଇଥିବାରୁ ସେ ଜେଲ୍‌ ଯିବାରୁ ସାମୟିକ ଭାବେ ବର୍ତ୍ତିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଦମ୍ବରମ ତଳ କୋର୍ଟରେ ପୁଣି ଜାମିନ ଆବେଦନ କରିଛନ୍ତି ଏବଂ ମଙ୍ଗଳବାର ଅପରାହ୍ନ ସାଢ଼େ ୩ଟାରେ ସିବିଆଇ ଅଦାଲତରେ ଏହାର ଶୁଣାଣି ହେବ। ଚିଦମ୍ବରମଙ୍କ ପକ୍ଷରୁ ଓକିଲ କପିଲ ସିବଲ ଜାମିନ ଆବେଦନ ଦାଖଲ କରିଥିଲେ। ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହାଡ଼ ଏହି ଜାମିନ ଆବେଦନର ଶୁଣାଣି କରିବେ।

ଚିଦମ୍ବରମଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ସିବଲଙ୍କୁ ସୁପ୍ରିମ୍‌ କୋର୍ଟ କହିଥିଲେ, ଏହି ମାମଲାରେ ଚିଦମ୍ବରମଙ୍କୁ ଉପଯୁକ୍ତ ଅଦାଲତରେ ଜାମିନ ଆବେଦନ କରିବାକୁ ହେବ। ତଳ କୋର୍ଟରେ ଯଦି ତାଙ୍କର ଜାମିନ ଆବେଦନ ଖାରଜ ହୁଏ ତା’ହେଲେ ବୁଧବାର ଦିନ କୋର୍ଟ ପୁଣି ଏହି ମାମଲାରେ ଶୁଣାଣି କରିବେ ବୋଲି କହିଥିଲେ। ୭୪ ବର୍ଷୀୟ ଚିଦମ୍ବରମଙ୍କୁ ଜେଲ୍‌ ନ ପଠାଇ ଗୃହ ବନ୍ଦୀ ଭାବେ ରଖିବାକୁ ସିବଲ ଯୁକ୍ତି କରିଥିଲେ।

Comments are closed.