Odisha Link
Bridging the Missing Links in Odisha

ଫେରସ୍ତ ମିଳିବ ଜୋରିମାନା ଟଙ୍କା

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି। ତେବେ ମୋଟର ଯାନ ଆଇନ ଅନୁସାରେ ବର୍ଦ୍ଧିତ ଜୋରିମାନା ଆଦାୟ ପ୍ରସଙ୍ଗରେ ଏକ ଖୁସି ଖବର ଆସିଛି। ତାହା ହେଉଛି ଆବଶ୍ୟକ କାଗଜପତ୍ର ପରେ ଦେଖାଇଲେ ଜୋରିମାନା ଅର୍ଥ ଫେରସ୍ତ ମିଳିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆରଟିଓ-୨ ସଞ୍ଜୟ ବେହେରା।
ତାଙ୍କ ସୂଚନା ଅନୁଯାୟୀ ଜଣେ ସବୁ ପ୍ରକାର କାଗଜପତ୍ର ଦେଖାଇ ନପାରିବାରୁ ଜୋରିମାନା ହେଉଛି। ଯଦି କାଗଜପତ୍ର ଘରେ ଥିବ, ତେବେ ପରେ ତାହା ଦେଖାଇଲେ ଜୋରିମାନା ଟଙ୍କା ଫେରସ୍ତ ମିଳିବ। କିନ୍ତୁ ସବୁ ଜୋରିମାନା ଟଙ୍କା ଫେରସ୍ତ କରାଯିବ ନାହିଁ। ଅଳ୍ପ କିଛି ପରିମାଣର ଜୋରିମାନା ରଖି ବଡ଼ ଅଂଶ ଫେରସ୍ତ କରାଯିବ। ଏହା ଛଡ଼ା ହାର୍ଡ କପି ସମସ୍ତେ ପାଖରେ ରଖୁନାହାନ୍ତି। ତେବେ ଜନସାଧାରଣ ମୋବାଇଲରେ ମଧ୍ୟ ନିଜର ଗାଡ଼ିର କାଗଜପତ୍ର ରଖି ଦେଖାଇପାରିବେ ବୋଲି ଭୁବନେଶ୍ୱର ଆରଟିଓ-୨ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ମୋଟର ଯାନ ଆଇନ ଅନୁସାରେ ବର୍ଦ୍ଧିତ ଜୋରିମାନା ଆଦାୟ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ଜୋରିମାନା ବଢାଇ ରାଜସ୍ୱ ବଢାଇବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଲୋକଙ୍କୁ ସଚେତନ କରାଇ ଦୁର୍ଘଟଣା ହ୍ରାସ କରିବା ମୂଳ ଉଦ୍ଦେଶ୍ୟ। ଦିନ ଆସିବ ସମସ୍ତେ ନିୟମ ମାନୁଥିବେ ଓ ଜୋରିମାନା ଆଦାୟ ହେଉନଥିବ।

Comments are closed.