Odisha Link
Bridging the Missing Links in Odisha

ମଦ ଦୋକାନରେ ମରୁଡି

ଭୁବନେଶ୍ବର: ନୂଆ ମୋଟରଯାନ ଆଇନ ଲାଗୁ ପରେ ମଦ ଦୋକାନରେ ଚଡକ ଯାଇଛି। ଆଉ ଆଗ ଭଳି ମଦ ଦୋକାନ ଆଗରେ ଦେଖିବାକୁ ମିଳିନୁ ଗହଳି। ଟ୍ରାଫିକ ବ୍ୟବସ୍ଥା ଟାଇଟ ହେବା ପରେ ମଦ ଦୋକାନରେ ଦେଖାଦେଇଛି ମରୁଡି ପରିସ୍ଥିତି। ପୂର୍ବରୁ ମଦ ଦୋକାନ, ବିୟର ବାର୍ ଏବଂ ରେଷ୍ଟୁରାଣ୍ଡରେ ଯେଉଁ ଗହଳି ଲାଗୁଥିଲା ନୂଆ ନିୟମ କାର୍ଯ୍ୟକାରୀ ହେବା ପରେ ସେ ଗହଳି କମିଛି ଭିଡ ବି ଭାଙ୍ଗିଛି। କାରଣ ମଦ ପିଇ ଗାଡି ଚଳାଉଥିବା ଚାଳକଙ୍କୁ ଚେତାବନୀ ଦିଆଯାଇଛି, ଜରିମାନାର ଭୟ ଘାରିଛି ସମସ୍ତ ଚାଳକଙ୍କୁ। ଯଦି ମଦୁଆ ଡ୍ରାଇଭର ଟ୍ରାଫିକ ପୋଲିସ ହାବୁଡରେ ପଡନ୍ତି ତେବେ ତଣ୍ଡ ଗଣିବା ସହ ଜେଲ ମଧ୍ୟ ଯାଇପାରନ୍ତି। ତେଣୁ ଟ୍ରାଫିକ ଡରରେ ମାତାଲ ଡ୍ରାଇଭରଙ୍କ ମାତ୍ରା କମିଛି ଆଉ ଏହାର ସିଧାସଳଖ ପ୍ରଭାବ ବାର୍ ରେଷ୍ଟୁରାଣ୍ଟରେ ପଡିଛି।
ତେବେ ନୂଆ ନିୟମରେ ମଦୁଆ ଡ୍ରାଇଭରଙ୍କୁ ମହାଛାଟ ମରା ଯାଇଛି। ଯଦି କେହି ମଦ୍ୟପାନ କରି ଗାଡି ଚଳାଉଥିବାର ଧରାପଡନ୍ତି ତେବେ ତାଙ୍କୁ ୧୦ ହଜାର ଟଙ୍କା ଜରିମାନ ଦେବାକୁ ପଡିବ ନଚେତ ୬ ମାସ ଜେଲ ଯିବାକୁ ପଡିବ। ଆଉ ଯଦି ଉକ୍ତ ଡ୍ରାଇଭର ବାରମ୍ବାର ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କୁ ୧୫ ହଜାର ଟଙ୍କା ଜରିମାନା ସହ ୨ ବର୍ଷ ମଧ୍ୟ ଜେଲ ହୋଇ ଯିବାର ଭୟ ଲୋକ ମାନଙ୍କୁ ଘାରିଛି। ତେଣୁ ଜରିମାନା ସହ ଜେଲ ଯିବାର ଭୟ ଥିବାରୁ ମଦୁଆ ଡ୍ରାଇଭରଙ୍କ ସଂଖ୍ୟା କମିଛି। ଆଉ ମଦ ଦୋକାନରେ ଗ୍ରାହକଙ୍କ ଗହଳି ମଧ୍ୟ କମିବାରେ ଲାଗିଛି ବୋଲି ବାର ମ୍ୟାନେଜରମାନେ କହିଛନ୍ତି।
ସେପ୍ଟେମ୍ବର ମାସ ପୂର୍ବରୁ ବିୟର ପାର୍ଲରରେ ଯେଉଁ ଭଳି ବିକ୍ରି ହେଉଥିଲା ସେପ୍ଟେମ୍ବର ୧ ପରେ ଅର୍ଥାତ ନିୟମ ଲାଗୁ ପରେ ମଦ ଦୋକାନରେ ବିକ୍ରି ଆଶାତିତ କମିଛି। ଗତ ଦୁଇ ଦିନ ମଧ୍ୟରେ ମଦ ଦୋକାନରେ ମାନ୍ଦାବସ୍ଥା ଦେଖାଦେଇଛି। ଯେଉଁ ବାରକୁ ଗୋଟିଏ ଦିନରେ ୧୫୦ରୁ ଅଧିକ ଲୋକ ଯାଉଥିଲେ ଏବେ ତାହା କମି ୫୦-୬୦ରେ ପହଞ୍ଚିଛି ବୋଲି ବାର ମ୍ୟାନେଜର ସମ୍ବିତ ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି ।
ତେବେ ଓଡିଶାରେ ୫୩୨ଟି ବାର ରେଷ୍ଟୁରାଣ୍ଟ, ୯୫ଟି ବିୟର ପାର୍ଲର ରହିଥିବା ବେଳେ କେବଳ ଭୁବନେଶ୍ୱରରେ ରହିଛି ୬୩ଟି ବାର ରେଷ୍ଟୁରାଣ୍ଟ, ୪୨ଟି ମଦ ମିଳୁଥିବା ହୋଟେଲ କ୍ଲବ ସହ ୧୪ଟି ବିୟର ପାର୍ଲର। ତେବେ ନିୟମ ଲାଗୁ ପରେ ଏ ସମସ୍ତ ବାରକୁ ଗ୍ରାହକଙ୍କ ପାଦ ପଡିବା କମିଯାଇଛି।

Comments are closed.