Odisha Link
Bridging the Missing Links in Odisha

ଦୁଇ ଯୁବକଙ୍କ ଉପରେ ବସ୍‌ ଚଢ଼ିଯିବାରୁ ଜଣେ ମୃତ, ଅନ୍ୟ ଜଣେ ଆହତ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତକ ଜଣକ ହେଉଛନ୍ତି ବିସ୍ମୟ କୁମାର ନନ୍ଦ। ତାଙ୍କ ଘର ଆଠଗଡ଼ର ଅଶୋକ ନଗରରେ ବୋଲି ଜଣା ପଡିଛି। ଆହତ ଜଣଙ୍କ ହେଉଛନ୍ତି ରୂପେଶ ପ୍ରଧାନ। ତାଙ୍କୁ ପ୍ରଥମେ ବାଙ୍କୀ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ‘ଚକାଡ଼ୋଳା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଆଜି ସକାଳେ ଭୁବନେଶ୍ୱରରୁ ଅନୁଗୋଳ ଯାଉଥିଲା। ହେଲେ ଅଂଶୁପା ହ୍ରଦ ନିକଟରେ ଥିବା ବୁଲାଣିରେ ସାମ୍ନାରୁ ବାଇକ୍‌ରେ ଆସୁଥିବା ବିସ୍ମୟ ଓ ରୂପେଶଙ୍କ ସହିତ ବସ୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ପରେ ତଳେ ପଡ଼ି ଯାଇଥିବା ବିସ୍ମୟଙ୍କ ଉପରେ ବସ୍‌ର ପଛ ଚକା ଚଢ଼ି ଯାଇଥିଲା। ସରଣ୍ଡା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଙ୍କୀ ଡାକ୍ତରଖାନାକୁ ପଠାଇଥିଲା। ପୁଲିସ୍‌ ବସ୍‌ଟିକୁ ଜବତ କରି ତଦନ୍ତ ଜାରି ରଖିଛି।

Comments are closed.