Odisha Link
Bridging the Missing Links in Odisha

ଆଜିଠୁ ଦିଲ୍ଲୀର କୋଟଲା ହେଲା ଅରୁଣ ଜେଟଲୀ ଷ୍ଟାଡିୟମ, ବିରାଟଙ୍କ ନାଁରେ ଷ୍ଟାଣ୍ଡ୍

ନୂଆଦିଲ୍ଲୀ: ଆଜିଠୁ ବଦଳିଲା ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ। ଆଜିଠୁ ଏହାକୁ ଅରୁଣ ଜେଟଲୀ ଷ୍ଟାଡିୟମ ନାଁରେ ସମ୍ବୋଧିତ କରାଯିବ। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ୍ କୋହଲିଙ୍କ ନାଁରେ ନାମିତ କରାଯାଇଛି। ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ପୂର୍ବରୁ ହିଁ ସ୍ପଷ୍ଟ କରିଥିଲା ଯେ ଫିରୋଜଶାହ କୋଟଲା ଷ୍ଟାଡିୟମର ନାଁ ଅରୁଣ ଜେଟଲୀ ଷ୍ଟାଡିୟମ ହେବ। କିନ୍ତୁ ଏହି ମଇଦାନର ନାଁ ଫିରୋଜ ଶାହ କୋଟଲା ରହିବ। ନୂଆ ନାମକରଣ ସମାରୋହରେ ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ।

ଜବାହାରଲାଲ ନେହରୁ ଷ୍ଟାଡିୟମରେ ହୋଇଥିବା ଏହି ସମାରୋହରେ ବିରାଟ୍ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସମେତ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏବଂ ଭାରତୀୟ ଦଳର ସବୁ ଖେଳାଳି ଉପସ୍ଥିତ ଥିଲେ। ଶୁକ୍ରବାର ଟି-୨୦ ସିରିଜ୍ ପାଇଁ ଧର୍ମଶାଳା ଗସ୍ତ ପୂର୍ବରୁ ଭାରତୀୟ ଦଳ ଗୁରୁବାର ଏଠାରେ ପହଞ୍ଚିଛନ୍ତି।

ଏହି ଅବସରରେ କୋହଲି କହିଥିଲେ, ଯେତେବେଳେ ମୁଁ ଘର ଛାଡ଼ିଲି, ସେତେବେଳେ ମୁଁ ମୋ ପରିବାରକୁ ଏକ କାହାଣୀ ଶୁଣାଇଥିଲି। ମୋର ମନେ ଅଛି ଯେ ୨୦୦୧ରେ ଷ୍ଟାଡିୟମକୁ ଏକ ମ୍ୟାଚ୍ ଦେଖିବା ପାଇଁ ଟିକେଟ୍ ମିଳିଥିଲା ଏବଂ ମୁଁ ଖେଳାଳିମାନଙ୍କଠାରୁ ଅଟୋଗ୍ରାଫ୍ ମାଗିଥିଲି। ଆଜି ସେହି ଷ୍ଟାଡିୟମର ଏକ ଷ୍ଟାଣ୍ଡ୍ ମୋ ନାଁରେ କରାଯାଉଛି, ବାସ୍ତବରେ ଏହା ମୋ ପାଇଁ ବଡ଼ ସମ୍ମାନର କଥା।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୪ ତାରିଖରେ ଜେଟଲୀଙ୍କ ଦେହାନ୍ତ ହୋଇଥିଲା। ସେ ଡିଡିସିଏର ଅଧ୍ୟକ୍ଷ ଏବଂ ବିସିସିଆଇର ପୂର୍ବତନ ଉପାଧ୍ୟକ୍ଷ ମଧ୍ୟ ରହିଥିଲେ। ଷ୍ଟାଡିୟମରେ ଆଧୁନିକ ସୁବିଧାକରଣ କରିବା ଏବଂ ଦର୍ଶକଙ୍କ କ୍ଷମତା ବଢ଼ାଇବା ସହ ବିଶ୍ୱସ୍ତରୀୟ ଡ୍ରେସିଂ ରୁମ ପ୍ରସ୍ତୁତ କରିବାର ଶ୍ରେୟ ଅରୁଣ ଜେଟଲୀଙ୍କୁ ଦିଆଯିବ।

Comments are closed.