Odisha Link
Bridging the Missing Links in Odisha

କଲେଜକୁ ଅଚାନକ ଗସ୍ତ କଲେ ମନ୍ତ୍ରୀ ଅରୁଣ, ପିଲାଙ୍କ ସହ ମିଶିଲେ (ଦେଖନ୍ତୁ ଭିଡିଓ)

ଭୁବନେଶ୍ବର: ଆଜି ଅପରାହ୍ନରେ କଟକ ଜିଲ୍ଲା ଅନ୍ତର୍ଗତ କଳାପଥର-ଧଳା ପଥର ଡିଗ୍ରୀ ମହାବିଦ୍ୟାଳୟ, କଳା ପଥରକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଚାନକ ପରିଦର୍ଶନ କରିଥିଲେ। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ କଲେଜ୍‌ର ଅଧ୍ୟକ୍ଷ ଅନୁପସ୍ଥିତ ଥିବା ଓ ମଧ୍ୟାହ୍ନ ଭୋଜନରେ ଯାଇଥିବା ପଚାରି ବୁଝିଥିଲେ।

ମଧ୍ୟାହ୍ନ ଭୋଜନ ସମୟ ଅପରାହ୍ନ ଗୋଟାଏରୁ ୧ଟା ୩୦ ମିନିଟ୍‌ ଧାର୍ଯ୍ୟ କରାଯାଇ ଥିବାବେଳେ ଅଧ୍ୟକ୍ଷ ୧ଟା ୫୦ ମିନିଟ୍‌ ସମୟରେ କଲେଜ୍‌ରେ ପହଞ୍ଚିଥିଲେ। ରୁଟିନ୍‌ ଅନୁଯାୟୀ ସେହି ସମୟରେ ତିନୋଟି କ୍ଲାସ୍‌ ହେବାକୁ ଥିବାବେଳେ କୌଣସି କ୍ଲାସ୍‌ ହେଉନଥିବା ମନ୍ତ୍ରୀ ଦେଖିବାକୁ ପାଇଥିଲେ। ମନ୍ତ୍ରୀ ଡ.ସାହୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମନ୍ତ୍ରୀ ଡ. ସାହୁ ମହାବିଦ୍ୟାଳୟର ଉପସ୍ଥାନ ଯାଞ୍ଚ କରିବା ସମୟରେ ଦୁଇଜଣ ଅଧ୍ୟାପକ କିଶୋର ସାହ ଏବଂ ଆର.ସି. ଜେନା ଉପସ୍ଥିତ ଥିଲେ। ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ଏ ପର୍ଯ୍ୟନ୍ତ ମହାବିଦ୍ୟାଳୟରେ ପ୍ରକ୍ଟୋରିଆଲ୍ କ୍ଲାସ୍‌ର ପ୍ରଚଳନ କରାଯାଇନଥିବା ପରିପ୍ରେକ୍ଷୀରେ ମନ୍ତ୍ରୀ ଡ. ସାହୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ତୁରନ୍ତ ପ୍ରକ୍ଟୋରିଆଲ୍ କ୍ଲାସ୍‌ ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ମନ୍ତ୍ରୀ ଡ. ସାହୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କର ପାଠପଢ଼ା ଓ ମହାବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।

Comments are closed.