Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନକଲି ପୁଲିସ ଗାଡ଼ି! ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଦେଶବ୍ୟାପୀ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଥିବା ବେଳେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି। ତେବେ ଏଭଳି ସମୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦାଧିକାରୀଙ୍କ ସୁରକ୍ଷା ଦାୟିତ୍ୱ ନିର୍ବାହ ତଥା ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଆଦି କାରରେ ନିୟୋଜିତ ଏକ ପୁଲିସ ଗାଡ଼ି ସମ୍ପୂର୍ଣ୍ଣ ନକଲି ବୋଲି ଜଣାପଡ଼ିଛି।

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଭୁବନେଶ୍ବରରେ ଯାନବାହାନ ତନଖି ଯୋରଦାର ଚାଲିଥିବା ବେଳେ ଏକ ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହୋଇଥିଲା। OD-05-9985 ନମ୍ବର ବିଶିଷ୍ଟ ଏ ଜିପ୍ସି ଗାଡ଼ିଟି ମେଫେୟାର ରାସ୍ତାରୁ ଜୟଦେବ ବିହାର ଛକ ଆଡ଼କୁ ଓଲଟା ଦିଗରେ ଦ୍ରୁତ ଗତିରେ ଯାଉଥିବା ଦେଖିବାକୁ ମିଳିଛି। ଗାଡ଼ିଟି ପାଲ୍ ହେଇଟ୍ସ ଛକ ଠାରେ ବାମ ପଟକୁ ଆସିଥିଲା।

ଜିପ୍ସି ଗାଡ଼ିର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ବେଳେ ଆଉ କିଛି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ପୁଲିସ ଗାଡ଼ି ଭଳି ଜଣାପଡ଼ୁଥିବା ଏ ଗାଡ଼ିର ପଞ୍ଜୀକରଣ ନମ୍ବର ଭୁଲ। ୱେବ୍‌ସାଇଟ୍‌ରୁ ଗାଡ଼ି ସମ୍ପର୍କରେ ମିଳିଥିବା ତଥ୍ୟ ଅନୁଯାୟୀ ଏହା କେଦାର ନନ୍ଦଙ୍କ ନାମକ ଜଣେ ବ୍ୟକ୍ତିଙ୍କ ହିରୋ ସ୍ପେ୍ଲଣ୍ଡର ପ୍ଲସ ଡାର୍କ କାଷ୍ଟ(ପେଟ୍ରୋଲ)। ୨୦୧୨ ମିସହା ନଭେମ୍ବର ୧୪ ତାରିଖରେ ଗାଡ଼ିଟି କଟକ ଆର୍‌ଟିଓରେ ପଞ୍ଜୀକୃତ ହୋଇଛି। ତେବେ ପାଖାପାଖି ୨ ମାସ ହେବ ଗାଡ଼ିର ଇନ୍ସୁରାନ୍ସ ଅବଧି ସରିଯାଇଛି। ଗାଡ଼ିର ନମ୍ବର ନାହିଁ, ଇନ୍ସୁରାନ୍ସ ନାହିଁ, ଫିଟ୍‌ନେସ୍‌ ନାହିଁ। ତଥାପି ପୁଲିସ୍‌ ଲୋକଙ୍କୁ ଚକ୍‌ମା ଦେଖାଇ ଏହି ଗାଡ଼ିକୁ ବେଧଡ଼କ ଭାବେ ବ୍ୟବହାର କରିଚାଲିଛି।

ଗାଡ଼ିଟି ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ରେ ସାମିଲ୍‌ ହୋଇଥିଲା। ପୁଣି ଭିଭିଆଇପିଙ୍କ ପାଇଁ ମଧ୍ୟ ବ୍ୟବହାର ହେଉଥିଲା। ଏବେ ଗାଡ଼ିଟି ଟ୍ରାଫିକ୍ ପୁଲିସ୍‌ ପାଖରେ ନାହିଁ ଓ ରିଜର୍ଭ ପୁଲିସ୍‌ ଏହି ଗାଡ଼ିକୁ ବ୍ୟବହାର କରୁଛି ବୋଲି କୁହାଯାଉଛି। ଭୁଲ୍‌ ନମ୍ବର ଲେଖାଯିବା ନେଇ କାହା ପାଖରେ ଠୋସ୍ ଉତ୍ତର ନାହିଁ। ଲୋକଙ୍କୁ ଆଇନ୍‌ ପାଠ ପଢ଼ାଉଥିବା ପୁଲିସ୍‌ ଓ ପରିବହନ ବିଭାଗର ବେପରୱା କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପୁଲିସ୍‌ ଗାଡ଼ିରେ ଦୁଇ ଚକିଆ ଯାନର ନମ୍ବର ଲାଗିବା ପରେ ଏବେ ଗୋଟିଏ କଥା ସାମ୍ନାକୁ ଆସୁଛି। ଉକ୍ତ ନମ୍ବରରେ ବ୍ୟବହାର କରି ବାଇକ ଚାଳକ ଗାଡ଼ି ବ୍ୟବହାର କରୁଛନ୍ତି ନା ପୁଳିସ୍‌ ଜାଣିଶୁଣି ଏଭଳି କରିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିସହିତ ବାସ୍ତବରେ ପରିବହନ ବିଭାଗ ୱେବ୍‌ସାଇଟ୍‌ରେ ଏପରି ତ୍ରୁଟି ହୋଇଛି ନା ପୁଲିସ୍‌ ବିଭାଗ କିଛି ବେଆଇନ୍ କରିଛି, ତାହାର ଉତ୍ତର କାହା ପାଖରେ ନାହିଁ।

Comments are closed.