Odisha Link
Bridging the Missing Links in Odisha

ଇସ୍ପାତ ଶିଳ୍ପର କଞ୍ଚାମାଲ ପାଇଁ ଆବଶ୍ୟକତା ପୂରଣ କରିବା ସରକାରଙ୍କ ପ୍ରାଥମିକତା: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ (ସେଲ୍) ନିଜ ଉତ୍ପାଦିତ ଲୁହାପଥରର ୨୫ ପ୍ରତିଶତ ଘରୋଇ ବଜାରରେ ପ୍ରଦାନ କରିବା ପାଇଁ ଖଣି ମନ୍ତ୍ରଣାଳୟକୁ ଅନୁମତି ଦେଇଛି। ଖଣି ମନ୍ତ୍ରଣାଳୟର ଏହି ନିଷ୍ପତି ଦେଶର ଇସ୍ପାତ ଶିଳ୍ପର ବିକାଶ ପାଇଁ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅନୁମତି ପାଇଁ ଶ୍ରୀ ପ୍ରଧାନ ପ୍ରୟାସ କରୁଆସିଥିଲେ ଓ ଖଣି ମନ୍ତ୍ରଣାଳୟର ସମ୍ମତି ପରେ ଖୁସି ବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ। ଖଣି ମନ୍ତ୍ରଣାଳୟର ଏହି ଅନୁମତି ୨ ବର୍ଷ ପାଇଁ ବଳବତର ରହିବ। ଏହି ଅନୁମତି ଆଧାରରେ ଓଡିଶା, ଝାଡଖଣ୍ଡ ଓ ଛତିଶଗଡ ଭଳି ରାଜ୍ୟରେ ୭ ନିୟୁତ ଟନ୍ ଲୁହା ପଥରକୁ ରାଷ୍ଟ୍ରାୟତ ଉଦ୍ୟୋଗ ସହ ଘରୋଇ ବଜାରରେ ଉପଯୋଗ କରାଯାଇପାରିବ। ଏହା ସେଲର ଆବଶ୍ୟକତା ପୂରଣ କରିବା ସହ ଘରୋଇ ବଜାରର ଇସ୍ପାତ ଉତ୍ପାଦନକାରୀଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ।

ଅନ୍ୟ ଏକ ପୃଥକ ନିଷ୍ପତିରେ ସେଲ୍ ପାଖରେ ଓଡିଶା, ଝାଡଖଣ୍ଡ ଓ ଛତିଶଗଡ ରାଜ୍ୟ ମାନଙ୍କରେ ଗଚ୍ଛିତ ଥିବା ୭୦ ନିୟୁତ ଟନ୍ ନିମ୍ନମାନର ଲୁହା ପାଇଁ ଏବଂ ଲୁହା ପଥରକୁ ବିକ୍ରି କରିବା ପାଇଁ ଅନୁମତି ମିଳିଛି। ଏଥିପାଇଁ ସଂପୃକ୍ତ ରାଜ୍ୟ ସରକାରଙ୍କ ଅନୁମତି ନେଇ ସେଲ୍ ଏହାକୁ ବିକ୍ରି କରିପାରିବ ବୋଲି ଖଣି ବିଭାଗ ତରଫରୁ କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏମ୍ଏମ୍ଡିଆର୍ ଆକ୍ଟ୍ ୧୯୫୭ ଅନୁସାରେ ୩୧.୦୩.୨୦୨୦ ସୁଦ୍ଧା ୩୧ଟି କାର୍ଯ୍ୟକ୍ଷମ ଖଣିର ଲିଜ୍ ଅବଧି ଶେଷ ହେବ। ଏହି ଅବଧି ଶେଷ ହେବା ପରେ ବଜାରରେ ୬୦ ନିୟୁତ ଟନ୍ ଲୁହା ପଥର କମ୍ ପଡିବ।

ଶ୍ରୀ ପ୍ରଧାନ କହିଛନ୍ତି ଭାରତୀୟ ଇସ୍ପାତ ଶିଳ୍ପର କଂଚାମାଲ ଆବଶ୍ୟକତା ପୂରଣ କରିବା ସରକାରଙ୍କର ପ୍ରାଥମିକତା। ଖଣି ମନ୍ତ୍ରଣାଳୟର ଏହି ନିଷ୍ପତି କଂଚାମାଲ ଆବଶ୍ୟକତା ପୂରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.