Odisha Link
Bridging the Missing Links in Odisha

ବାଜିଲା ବିଜେପୁର ଉପନିର୍ବାଚନ ବିଗୁଲ, କାହାର ହେବ ବିଜେପୁର

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ। ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ହେବ ବୋଲି ମୁଖ୍ୟନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ ଘେଷଣା ହେବା ପରେ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି।

ମୁଖ୍ୟନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୩ରେ ବିଜେପୁର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏଥିସହିତ ସେପ୍ଟେମ୍ବର ୩୦ରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ପରେ ଅକ୍ଟୋବର ୧ରେ ଯାଞ୍ଚ ପକ୍ରିୟା ହେବ। ଅକ୍ଟୋବର ୩ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରପାରିବେ ଇଚ୍ଛୁକ ପ୍ରର୍ଥୀ। ଅକ୍ଟୋବର ୨୧ରେ ହେବ ଭୋଟ ଗ୍ରହଣ। ଶେଷରେ ଅକ୍ଟୋବର ୨୪ରେ ଭୋଟ ଗଣତି। ଏସୁବ ତାରିଖକୁ ନଜରରେ ରଖିଲେ ଠିକ୍‌ ଆଉ ମାସକ ପରେ ହେବ ବିଜେପୁର ଉପନିର୍ବାଚନ।

ଆଜି ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ତିନୋଟି ମୁଖ୍ୟ ରାଜନୈତିକ ଦଳ ପାଗ ଭିଡିଛନ୍ତି। ପ୍ରାର୍ଥୀ କାହାକୁ କରିବେ ଏବଂ ଉପଯୁକ୍ତ ପ୍ରାର୍ଥୀ ଚୟନରେ ତିନୋଟି ଯାକ ଦଳ ଲାଗିପଡିଛନ୍ତି। ତେବେ ବିଜେଡି ହାତରେ ଥିବା ଏହି ଆସନ ବିଜେଡି ରଖିପାରିବ ନା ବିଜେପି ଛଡାଇ ନେବ ନା କଂଗ୍ରେସ ମ୍ୟାଜିକ କରିବ ତାହା ଆଗାମୀ ଦିନରେ ଜଣାପଡିବ।

ଉପନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିବା ସହ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି। ଅନ୍ୟପକ୍ଷରେ କିଛିଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ପାଇଁ ୪ ଜଣିଆ ସମନ୍ୱୟ କମିଟି ଗଠନ କରିଛନ୍ତି। କମିଟିର ୨ ଜଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂହଙ୍କୁ ସ୍ଥାନ ମିଳିଛି। ସେହିଭଳି ଦଳର ଦୁଇ ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା କଳିକେଶ ନାରାୟଣ ସିଂହଦେଓ ଅଛନ୍ତି। ଏମାନେ ସ୍ଥାନୀୟ ଅଞ୍ଚଳରେ ସମନ୍ୱୟ ରଖି ଗଡ଼ ଜଗିବେ। ଗତ ନିର୍ବାଚନର ଭୋଟ ବ୍ୟବଧାନ ଯେଭଳି ଏଥର ବି ରହେ, ସେ ଦାୟିତ୍ୱ ଏହି ନେତାଙ୍କ ଉପରେ ନ୍ୟସ୍ତ ରହିଛି। ବିଜେଡିରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ନାନାଦି କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ପୂର୍ବତନ ବିଧାୟିକା ରୀତା ସାହୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷେ ମିଳିଥିବେ ଖବର ଅନୁଯାୟୀ ରୀତା ସାହୁ ବିଜେପୁର ଅଞ୍ଚଳରେ ଆୟୋଜିତ ହେଉଥିବା ବିଭିନ୍ନ ସଭା ସମିତି ଲୋକଙ୍କ ନିକଟତର ହେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ବିରୋଧୀ ଦଳ ଭୂମିକା ଗ୍ରହଣ କରିଛି ଭାରତୀୟ ଜନତା ପାର୍ଟି। ବିଜେପି ନଜରରେ ମଧ୍ୟ ବିଜେପୁର ଆସନ ରହିଛି। ଇତିମଧ୍ୟରେ ବିଜେପୁର ଉପ-ନିର୍ବାଚନରେ କିଏ ହେବେ ବିଜେପି ପ୍ରାର୍ଥୀ ସେ ନେଇ ଚାଲିଛି ଆଲୋଚନା। ଗତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଲଢିଥିଲେ। ଚଳିତ ସାଧାରଣ ନିର୍ବାଚନରେ ଲଢିଥିଲେ ସନତ ଗଡ଼ତିଆ। ଏ ଦୁଇଙ୍କ ମଧ୍ୟରୁ କିଏ ହେବ ନା ଆଉ କିଏ ପ୍ରାର୍ଥୀ ହେବ ସେ ନେଇ ଚାଲିଛି କଳ୍ପନା ଜଳ୍ପନା। ସନତ ଗଡ଼ତିଆ ଏହି ରେସରେ ଆଗରେ ଥିବା ଚର୍ଚ୍ଚା ହେଉଛି, କାରଣ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଲଢ଼ି ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ ସନତ। ଅପରପକ୍ଷେ ତାରିଖ ଘୋଷଣା ସରିଛି।ଉପଯୁକ୍ତ ପ୍ରାର୍ଥୀଙ୍କୁ ଦଳ ଟିକେଟ ଦେବ ବୋଲି ବିଜେପି କହିଛି।

ଏପଟେ କଂଗ୍ରେସ କାହାକୁ ଟିକେଟ ଦେବ ସେନେଇ ଦଳ ପକ୍ଷରୁ କରାଯାଉଛି ମାରାଥନ ବୈଠକ। ଏହାରି ଭିତରେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ରିପୁନାଥ ସେଠ୍ ପୁଣି ଥରେ ନିର୍ବାଚନ ଲଢ଼ିବା ପାଇଁ ଅଣ୍ଟା ଭିଡିଛନ୍ତି। ଉପ-ନିର୍ବାଚନ ସମୟରେ କଂଗ୍ରେସ ପ୍ରାର୍ଥୀ ଥିବା ପ୍ରଣୟ ସାହୁ, ଅଚନାକ୍ ଦଳ ଛାଡ଼ି ଦେବା ପରେ ବିଜେପୁରରେ କଂଗ୍ରେସର ମଙ୍ଗ ଧରିଥିଲେ ରିପୁନାଥ ସେଠ।

ସୂଚନାଥାଉକି, ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢିଥିଲେ। ଉଭୟ ସ୍ଥାନରୁ ବିଜୟୀ ହେବା ପରେ ନବୀନ ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ଫଳରେ ବିଜେପୁର ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା।

Comments are closed.