Odisha Link
Bridging the Missing Links in Odisha

ବିଜେପୁର ଲଢେଇ ପାଇଁ କଂଗ୍ରେସର ପ୍ରାର୍ଥୀ ଖୋଜା ଆରମ୍ଭ

ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସର କସରତ। ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ପ୍ରାର୍ଥୀ ଚୟନ ନେଇ ଆଲୋଚନା ହୋଇଛି। ଆଲୋଚନା ପରେ ଏଆଇସିସିକୁ ପଠାଯିବ ଆଶାୟୀ ପ୍ରାର୍ଥୀଙ୍କ ନାଁ। ଏଆଇସିସିଙ୍କ ଅନୁମୋଦନ ପରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ। ଏହି ବୈଠକରେ ପିସିସି ସଭାପତିଙ୍କ ସମେତ ସମସ୍ତ ବିଧାୟକ ସାମିଲ ଅଛନ୍ତି। ବିଜେପୁର ନିର୍ବାଚନ ମଣ୍ଡଳୀରେ ସଙ୍ଗଠନର ସ୍ଥିତି କିପରି ରହିଛି ଏବଂ ସଙ୍ଗଠନକୁ ମଜଭୁତ କରିବା ପାଇଁ ମଧ୍ୟ ସମସ୍ତ ଆଲୋଚନା ହେବାର ସମ୍ଭାବନା ରହିଛି।
ଉଭୟ ଲୋକସଭା ଓ ବିଧାନସଭାରେ ଶୋଚନୀୟ ପରାଜୟ ପରେ ବିଜେପୁର ଉପରେ କଂଗ୍ରେସର ଫୋକସ୍ ରହିଛି। ସାଧାରଣ ନିର୍ବାଚନରେ ଦଳ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କୁ ମଇଦାନକୁ ଓହ୍ଲାଇଥିଲା। ରିପୁଙ୍କ ଅଭିଜ୍ଞତା ବଳରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଉଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସାମ୍ନାରେ ତିଷ୍ଠି ପାରିନଥିଲେ ରିପୁନାଥ୍। କଂଗ୍ରେସ ବିଜେପୁରରେ ଶୋଚନୀୟ ପ୍ରଦର୍ଶନ କରିଥିଲା। ତେଣୁ ଦଳ ସ୍ଥାନୀୟ ନେତାଙ୍କୁ ଟିକଟ୍ ଦେବ ନା ବାହାରୁ ପ୍ରାର୍ଥୀ ଆମଦାନୀ କରିବ, ତାହା ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି।
ସୂଚନା ଅନୁସାରେ, ୨୦୧୮ରେ ଉପ-ନିର୍ବାଚନ, ୨୦୧୯ରେ ସାଧାରଣ ନିର୍ବାଚନ ଏବଂ ଏବେ ବିଜେପୁରରେ ପୁଣି ଏକ ଉପ-ନିର୍ବାଚନ ହେବାକୁ ଯାଉଛି। ଦେଢ଼ ବର୍ଷ ଭିତରେ ତୃତୀୟଥର ପାଇଁ ଭୋଟ୍ ଦେବେ ବିଜେପୁରବାସୀ । ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁରରେ ହେବ ଉପନିର୍ବାଚନ। କାରଣ ୨୦୧୯ ସାଧାରଣ ନିର୍ବାଚନରେ ଦୁଇଟି ଆସନରୁ ବାଜିମାତ୍ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନ ହିଞ୍ଜିଳିକୁ ରଖି ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ତେବେ ସାମ୍ବିଧାନିକ ନୀତି ଅନୁସାରେ ଏହି ଆସନରେ ପୁଣି ଥରେ ଏବେ ଉପନିର୍ବାଚନ ହେବ ।

Comments are closed.