Odisha Link
Bridging the Missing Links in Odisha

“ମୋ ସରକାର”ରେ ଆସିଲା ପ୍ରଥମ ଅଭିଯୋଗ

ରାଉରକେଲା: ଗତକାଲି ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଆରମ୍ଭ ହୋଇଛି “ମୋ ସରକାର”। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରି ମୋ ସରକାର ଲୋଗୋ ଉନ୍ମୋଚିତ କରିବା ସହ ଟୋଲ୍‌ ଫ୍ରୀ ନମ୍ବର ଜାରି କରିଥିଲେ। କାରଣ କୌଣସି ବ୍ୟକ୍ତି ଥାନା ବା ଡାକ୍ତରଖାନାରେ କିଛି ସମସ୍ୟାରେ ସମ୍ମୁଖୀନ ହେଲେ ଟୋଲ୍‌ ଫ୍ରି ନମ୍ୱରରେ ଫୋନ୍‌ କରି ଅଭିଯୋଗ ଜଣାଇପାରିବେ। ସଦ୍ୟ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆସିଛି ପ୍ରଥମ ଅଭିଯୋଗ। ତାହା ପୁଣି ସିଲ୍‌ଭର ସିଟି ରାଉରକେଲା ଇସ୍ପାତ ଜେନେରାଲ୍‌ ହସ୍ପିଟାଲ(ଆଇଜିଏଚ୍‌) ବିରୋଧରେ।

ମୋନାଲିସା ଭାଟିଆ ଜଣେ ବ୍ରେଷ୍ଟ୍‌ କ୍ୟାନସର ରୋଗୀ। ସେ କଟକ ଆଚାର୍ଯ୍ୟ ହରିହର କ୍ୟାନସର ମେଡିକାଲ୍‌ରେ ଚିକିତ୍ସିତ ହୋଇଥିଲେ। ଚିକିତ୍ସା ପରେ ସେ ରାଉରକେଲା ପଳାଇ ଯାଇଥିଲେ। ତେବେ କିଛି ଦିନ ତଳେ ତାଙ୍କ ମୁଣ୍ଡ ବ୍ୟଥା ହୋଇଥିଲା। ତେଣୁ ସେ ଡାକ୍ତର ପରାମର୍ଶ ନେଇଥିଲେ। ବ୍ରେନ୍‌ ଏମ୍‌ଆରଆଇ ଓ ସିଟି ସ୍କାନ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରେ ସେ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ(ଆଇଜିଏଚ୍‌)କୁ ଯାଇଥିଲେ। ତେବେ ଏହି ସମୟରେ ସେଠାରେ କାର୍ଯ୍ୟରତ ନର୍ସ ଓ ଅନ୍ୟ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାପାଳ ଏହି ଭିଡିଓକୁ ଦେଖି ଘଟଣାର ତଦନ୍ତ ପାଇଁ ପାନ୍‌ପୋଷ୍‌ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଓ ରାଉରକେଲା ସରକାରୀ ହସ୍ପିଟାଲ୍‌ ଅଧୀକ୍ଷକ ଦୀନବନ୍ଧୁ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଅଧିକାରୀ ମୋନାଲିସା ଓ ଆଇଜିଏଚ୍‌ କର୍ତ୍ତୃପକ୍ଷଙ୍କ ବୟାନ୍‌ ରେକର୍ଡ କରିଛନ୍ତି। ଆଜି ଜିଲ୍ଲାପାଳଙ୍କୁ ଏହି ରିପୋର୍ଟ ଦୁଇ ଅଧିକାରୀ ଦେବେ ବୋଲି ଜଣାପଡ଼ିଛି।

Comments are closed.