Odisha Link
Bridging the Missing Links in Odisha

ବିଜେପୁର ଉପ-ନିର୍ବାଚନ: ସରିଲା ପୂଜା, ଜମିବ ପ୍ରଚାର

ଭୁବନେଶ୍ୱର: ଆଉ ୧୦ଦିନ ପରେ ବିଜେପୁରରେ ହେବ ଉପ-ନିର୍ବାଚନ। ସେଥିପାଇଁ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ହେଲେ ତିନି ପ୍ରମୁଖ ଦଳ ପାଟକୁରା ନିର୍ବାଚନରେ ଦେଖାଇଥିବା ଜୋଶ ଏ ପର୍ଯ୍ୟନ୍ତ ବିଜେପୁର ଉପନିର୍ବାଚନରେ ଦେଖିବାକୁ ମିଳିନାହିଁ।

ଏହାରିମଧ୍ୟରେ ପ୍ରକାଶ ପାଇ ସାରିଛି ତିନି ପ୍ରମୁଖ ଦଳର ଷ୍ଟାର କ୍ୟାମ୍ପେନରଙ୍କ ତାଲିକା। ତିନିଦଳର ୧୨୦ ଜଣ ଷ୍ଟାର ପ୍ରଚାରକ ଆସିବେ ବିଜେପୁର। ବର୍ତ୍ତମାନ ପ୍ରଚାର ଜୋରଦାର ହୋଇନଥିଲେ ହେଁ ସବୁ ଦଳ ନିଜ ନିଜର ଘର ସଜାଡ଼ିବା ସହ କ୍ଷେତ୍ର ପ୍ରସ୍ତୁତରେ ବ୍ୟସ୍ତ ରହିଛନ୍ତି।

ଏଥିପାଇଁ ଘନ ଘନ ବୈଠକ ବସିବା ସହ ନେତାଙ୍କୁ ପଞ୍ଚାୟତଓ୍ୱାରୀ ଦାୟିତ୍ୱ ଦିଆଯାଉଛି। ତେବେ ଅସନ୍ତୁଷ୍ଟମାନଙ୍କୁ ମନାଇବା ସବୁ ଦଳ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଉପନିର୍ବାଚନକୁ ନେଇ ଘନ ଘନ ଦଳୀୟ କାର୍ଯ୍ୟକ୍ରମରେ ଉଠୁଛି ପଡୁଛି ବିଜେପୁର।

କଂଗ୍ରେସ ବିଜେପୁର ବ୍ଲକ ପଡ଼ା ଗାଁରୁ ପ୍ରଚାର ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ବରଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବୁଥ୍, ପଞ୍ଚାୟତ ଓ ବ୍ଲକରେ ଗଡ଼ ଜଗିବା ନେଇ ନେତାଙ୍କୁ ଦାୟିତ୍ୱ ବଣ୍ଟନ ହୋଇଛି। ରାଜ୍ୟ ସରକାରଙ୍କ ବିଫଳତା, ମୋଦି ସରକାରର ସଫଳତା ବାର୍ତ୍ତା ସାଙ୍ଗକୁ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଛାଡ଼ିବା ଆଦିକୁ ମୁଖ୍ୟ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବାକୁ ସ୍ଥିର କରିଛି ବିଜେପି।

ବିଜେଡି ବିଭିନ୍ନ ବ୍ଲକର ଦଳର ବରିଷ୍ଠ ଓ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କୁ ନେଇ ରଣନୀତି ଚୂଡ଼ାନ୍ତ କରିଛି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର କାର୍ଯ୍ୟକ୍ରମ ଉପରେ ବିଷଦ ଆଲୋଚନା ହୋଇଛି। ବିଜେଡି ପ୍ରତି ପଞ୍ଚାୟତ ଏମିତି କି ଓ୍ୱାର୍ଡରେ ବି ନେତାମାନଙ୍କୁ ଭୋଟରଙ୍କୁ ମନାଇବାକୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି।

ଅନ୍ୟପକ୍ଷରେ ବିଜେପୁର ନିର୍ବାଚନରେ ସବୁ ଦଳ ପାଇଁ ଅଡ଼ୁଆ ହୋଇଛନ୍ତି କର୍ମୀ ଅସନ୍ତୋଷ। ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରିପୁନାଥ ସେଠ୍ ଏଥର ଟିକେଟ ପାଇନାହାନ୍ତି। ତେଣୁ ସେ ନିଜର ଅସନ୍ତୋଷ ପ୍ରକାଶ କରି ପ୍ରଚାରରୁ ଦୂରେଇ ରହିଛନ୍ତି। ସେହିପରି ୨୦୧୮ ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ମଧ୍ୟ ଦଳ ଉପରେ ସେତେଟା ଖୁସ୍ ନଥିବା ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ତିନି ଦଳକୁ ଅଡ଼ୁଆରେ ପକାଇଛି ଦଳୀୟ ଅସନ୍ତୋଷ।

Comments are closed.