Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ଆଦିତ୍ୟ ଠାକରେ ଜିତିବା ପରେ ମୁଖ୍ୟମନ୍ତ୍ରୀ ପଦ ଦାବି କଲା ଶିବସେନା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଜେପି ଓ ତା’ର ମହାରାଷ୍ଟ୍ର ସହଯୋଗୀ ଶିବସେନା ମଧ୍ୟରେ କ୍ଷମତା ଯୁଦ୍ଧ ଆରମ୍ଭ ହୋଇଯାଇଛି। ପ୍ରଥମଥର ପାଇଁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ଠାକରେ ପରିବାରର ଉତ୍ତରାଧିକାରୀ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନା ଦାବି କରିଛି।

ବିଜେପି ଓ ଶିବସେନା ମେଣ୍ଟ କରିବା ପୂର୍ବରୁ ହିଁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ଏବେ ଆଦିତ୍ୟ ଠାକରେ ଜିତିବା କ୍ଷଣି ଶିବସେନା ମୁଖ୍ୟମନ୍ତ୍ରୀ ପଦ ଦାବି କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଶିବସେନାର ବରିଷ୍ଠ ନେତା ସୁଶୀଲ ସିନ୍ଧେ ଆଜି ଗଣମାଧ୍ୟମ ଆଗରେ କହିଛନ୍ତି ଯେ “ଆମ ଦଳକୁ ମୁଖ୍ୟମନ୍ତ୍ରୀ ପଦ ମିଳୁ। ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ନିର୍ବାଚନ ଲଢ଼ିଥିଲେ। ସେ ୬୭ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି। ତେଣୁ ମରାଠାବାସୀ ଶିବସେନାର ମୁଖ୍ୟମନ୍ତ୍ରୀ ଦେଖିବାକୁ ଚାହୁଁଛନ୍ତି। ତେଣୁ ଆଦିତ୍ୟ ହିଁ ମୁଖ୍ୟମନ୍ତ୍ରୀ ହେବା ଉଚିତ।” ଏହାପୂର୍ବରୁ ଅନ୍ୟତମ ବରିଷ୍ଠ ନେତା ସଞ୍ଜୟ ରାଉତ ମଧ୍ୟ ପରୋକ୍ଷରେ ଶିବସେନାରୁ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସଙ୍କେତ ଦେଇଥିଲେ।

ବିଶେଷସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେପି ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବ। ଅର୍ଥାତ ଦେବେନ୍ଦ୍ର ଫଡନାଭିସ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସେହିପରି ଶିବସେନାକୁ ଦଳ ଉପ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବ ବୋଲି ଜଣାପଡ଼ିଛି।

Comments are closed.