Odisha Link
Bridging the Missing Links in Odisha

ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ନିଯୁକ୍ତି

ଭୁବନେଶ୍ୱର ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି । ଏଥି ପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ରାଜ୍ୟ ସିଲେକ୍‌ସନ୍‌ ବୋର୍ଡକୁ ୮୩୩ଟି ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲା । ରାଜ୍ୟ ସିଲେକ୍‌ସନ୍‌ ବୋର୍ଡ ଦ୍ୱାରା ପଦବୀଗୁଡ଼ିକ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି ଇତି ମଧ୍ୟରେ ୯ଟି ବିଭାଗରେ ୨୯୯ଟି ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି । ଯୋଗ୍ୟ ବିବେଚିତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀମହାବିଦ୍ୟାଳୟରେ ନିଯୁକ୍ତି ଦିଆଯିବ । ନବନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ପାଇଁ ଏକ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ । ଅକ୍ଟୋବର ୨୫ ତାରିଖରେ ସକାଳ ୧୦ଟାରେ ଅନୁଷ୍ଠିତ ଏହି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସଭାପତିତ୍ୱ କରିବେ । ନବନିଯୁକ୍ତ ଅଧ୍ୟାପକମାନଙ୍କ ମଧ୍ୟରୁ ନୃତତ୍ତ୍ୱ ବିଭାଗର ୨ ଜଣ, ଉଦ୍ଭିଦ ବିଜ୍ଞାନର ୩୩ ଜଣ, ବାଣିଜ୍ୟର ୩୬ ଜଣ, ରସାୟନ ବିଜ୍ଞାନର ୫୪ ଜଣ, ଅର୍ଥଶାସ୍ତ୍ରର ୭୦ ଜଣ, ଭୂତତ୍ତ୍ୱର ଜଣେ, ଭୂଗୋଳର ୨ ଜଣ, ରାଜନୀତି ବିଜ୍ଞାନର ୬୨ ଜଣ ଏବଂ ତର୍କ ଓ ଦର୍ଶନ ଶାସ୍ତ୍ରର ୩୪ ଜଣ ଏହି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେବେ ।

Comments are closed.