Odisha Link
Bridging the Missing Links in Odisha

ଠିକ୍ ସମୟରେ ଖଣି ନିଲାମ କରିବାକୁ ଓଡ଼ିଶା ପ୍ରତିବଦ୍ଧ

ଭୁବନେଶ୍ୱର: ୨୦୨୦ ମାର୍ଚ ୩୧ ସମୟ ସୀମା ପାଖେଇ ଆସୁଥିବା ବେଳେ ଖଣି ନିଲାମକୁ ନେଇ ଖଣି ଓ ଖଣିଜ କ୍ଷେତ୍ରରେ କାର୍ଯ୍ୟ କରୁଥିବା କଂପାନିଗୁଡ଼ିକର ରହିଥିବା ଚିନ୍ତାକୁ ଦୂର କରିବା ଲାଗି ରାଜ୍ୟ ଖଣି ମବୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ଠିକ୍ ସମୟରେ ଖଣି ନିଲାମ ହେବ । ଖଣି ନିଲାମ ପ୍ରତି ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଛନ୍ତି । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ତରଫରୁ ହୋଟେଲ୍ ମେ’ ଫେୟାରରେ ଆୟୋଜନ କରାଯାଇଥିବା ଇଣ୍ଡିଆନ୍ ମାଇନିଂ କନକ୍ଳେଭ ୨୦୧୯ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି, ଆମେ ନିଲାମ ପ୍ରକ୍ରିୟା ଆରମ୍ଭ କରିସାରିଲୁଣି । ତିନିଟି ଲୁହା ପଥର, ଗୋଟିଏ ମାଙ୍ଗାନିଜ, ଦୁଇଟି କ୍ରୋମାଇଟ ଓ ଗୋଟିଏ ଗ୍ରାଫାଇଟରୁ ଚୂନପଥର ଖଣିର ନିଲାମ ହୋଇସାରିଛି । ଆଉ ୩୧ଟି ଖଣି ବିଭିନ୍ନ ପର୍ଯ୍ୟାୟରେ ନିଲାମ ହେବ ଯେଉଁଥିପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ସେଥି ମଧ୍ୟରୁ ୨୭ଟି ଲୁହା ପଥର ଖଣି ହୋଇଥିବାବେଳେ ଦୁଇଟି ଗ୍ରାଫାଇଟ୍ ଓ ଦୁଇଟି ମାଙ୍ଗାନିଜ ଖଣି ରହିଛି ।
“ଖଣି ପାଇବା ପରେ ଉତୋଳନ କାର୍ଯ୍ୟରେ ସଦ୍ୟତମ ପ୍ରଯୁକ୍ତିକୁ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେବାକୁ ସେ ଶିଳ୍ପ ପ୍ରତିନିଧିମାନଙ୍କୁ କହିଛନ୍ତି । ସେ କହିଲେ, ଏଠାରେ ଉପସ୍ଥିତ ଥିବା ସମସ୍ତ ଶିଳ୍ପ ପ୍ରତିନିଧିମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଉତୋଳନରେ ଆଧୁନିକ ପ୍ରଯୁକ୍ତି ବ୍ୟବହାର କର ଏବଂ ପରିବେଶକୁ ଯେଭଳି ବହୁତ କମ୍ କ୍ଷତି ପହଂଚିବ ତାହା ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଅ ।” ଖଣି କାର୍ଯ୍ୟକୁ ସୁରୁଖୁରୁରେ ଆଗକୁ ବଢ଼ାଇବା ଲାଗି କେନ୍ଦ୍ର ଓ ରାଜ୍ୟର ଯେଉଁ ଏନେଜସିଗୁଡ଼ିକ ରହିଛି ସେମାନଙ୍କର ସହାୟତା ନେବାକୁ ସେ ଖଣି କଂପାନିଗୁଡ଼ିକୁ ଅନୁରୋଧ କରିଛନ୍ତି । ଏଥି ସହିତ ଜଣାଇଛନ୍ତି ଯେ, ରାଜ୍ୟରେ ଏକ ଫରେଷ୍ଟ୍ ସେଲ୍ ଖୋଲାଯାଇଛି ଯାହା କଂପାନିଗୁଡ଼ିକୁ ବିଭିନ୍ନ ପ୍ରକାର ମଂଜୁରି ହାସଲ କରିବାରେ ସାହାଯ୍ୟ କରୁଛି । ଏହି ସେଲ୍ ଜଣେ ଡିଏଫ୍ଓ ଓ ଦୁଇ ଜଣ ସହକାରୀ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହି ଅବସରରେ ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ଓଡ଼ିଶା ହେଉଛି ଇସ୍ପାତର ହବ୍ । ଆଗାମୀ କିଛି ମାସ ଭିତରେ ରାଜ୍ୟରେ ଥିବା ଖଣିଗୁଡ଼ିକର ମାଲିକ ପରିବର୍ତନ ହେବାର ବହୁତ ସମ୍ଭାବନା ରହିଛି । ସେଭଳି ପରିସ୍ଥିତିରେ ପୁରୁଣା ମାଲିକଙ୍କ ପାଖରେ ଥିବା ମଂଜୁରି ନୂଆ ମାଲିକଙ୍କୁ ହସ୍ତାନ୍ତର କରାଯିବ । ଫଳରେ ଉତ୍ପାଦନରେ କୌଣସି ପ୍ରକାର ବାଧା ସୃଷ୍ଟି ହେବ ନାହିଁ । ଉତ୍ପାଦନକୁ ନେଇ କୌଣସି ପ୍ରକାର ଚିନ୍ତା ନକରିବାକୁ ସେ ଖଣି କଂପାନିଗୁଡ଼ିକୁ କହିଛନ୍ତି । ଏହି ଅବସରରେ ଆଇସିସି ଓଡ଼ିଶାର ଇସ୍ପାତ ଓ ଖଣି କମିଟିର ଆବାହକ, ମନିଷ ଖରବନ୍ଦା ଖଣି ଶିଳ୍ପର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ସେ ଜଣାଇଛନ୍ତି ଯେ, ଖଣି ଆବଂଟନ ହେବାର ଦୁଇ ବର୍ଷ ପର୍ଯ୍ୟନ୍ତ ଖଣି କାର୍ଯ୍ୟ ଆରମ୍ଭ ନକରିବା ଲାଗି ଯେଉଁ ନିୟମ ରହିଛି ସେଥିରେ ପରିବର୍ତନ ଆଣିବାକୁ ସେ ଆହ୍ୱାନ ଦେଇଛନ୍ତି । କୋଇଲା ବ୍ଲକ୍ ନିଲାମ ବେଳେ କୋଇଲାର ବ୍ୟବହାରକୁ ନେଇ ଯେଉଁଭଳି ନିୟମ ରହିଛି ଅନ୍ୟ ଖଣିଗୁଡ଼ିକ ପାଇଁ ସେଭଳି ନିୟମ ନାହିଁ । ସେହି ନିୟମକୁ ଅଣ କୋଇଲା ଖଣି ପାଇଁ ଲାଗୁ କରାଗଲେ ଭଲ ହେବ ବୋଲି ସେ କହିଛନ୍ତି । ତାହା ନହେଲେ କିଛି ଲୋକଙ୍କ ପାଖରେ ଅଧିକ ଖଣିଜ ପଦାର୍ଥ ରହିବ ଓ ସେମାନେ ତାହାକୁ ମହଜୁଦ ରଖିବେ । ଏହାର ପ୍ରଭାବରେ କ୍ଷୁଦ୍ର କଂପାନିଗୁଡ଼ିକ ପ୍ରଭାବିତ ହେବେ ବୋଲି ସେ କହିଛନ୍ତି । ଖଣି କ୍ଷେତ୍ରରେ ଲଗାଯାଇଥିବା ଅତ୍ୟଧିକ ଟିକସ, ଖଣିଜ ବେନିଫିକେସନ ଓ ପରିବହନକୁ ନେଇ ରହିଥିବା ସମସ୍ୟା ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି ।
ଏହି ଅବସରରେ ଇସ୍ପାତ ବିଭାଗର ଅତିରିକ୍ତ ସଚିବ ଆର୍ କେ ଶର୍ମା କହିଛନ୍ତି ଯେ, “ରାଜ୍ୟର ଅର୍ଥନୀତି ପ୍ରତି ଖଣି କ୍ଷେତ୍ରର ଅବଦାନ ୧୦% ରହିଛି । ନିକଟରେ ଘଟିଥିବା କିଛି ଘଟଣା ଯୋଗୁ ଏହି କ୍ଷେତ୍ରର ଯୋଗଦାନ ୧୦% ତଳକୁ ଖସିଯାଇଥିଲା ଯାହା ପୁଣି ଥରେ ବଢ଼ିବା ଆରମ୍ଭ ହୋଇଛି । ନିୟମ ପାଳନ କରିବାରେ ଓଡ଼ିଶାର ଖଣିଗୁଡ଼ିକ ଆଗରେ ରହିଛନ୍ତି । ଅନ୍ୟ ରାଜ୍ୟଗୁଡ଼ିକ ଏବେବି ଖଣି କ୍ଷେତ୍ରରେ ସଂଘର୍ଷ କରୁଥିବା ବେଳେ ଓଡ଼ିଶା ଏହାର ଉତ୍ପାଦନକୁ ଶୀଘ୍ର ସ୍ୱାଭାବିତ କରିପାରିଛି ବୋଲି ସେ କହିଛନ୍ତି । ଏହି ଅବସରରେ ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ହେଉଛନ୍ତି ପ୍ରବୋଧ ମହାନ୍ତି, ନିର୍ଦେଶକ, ଏସ୍ଏନ୍ଏମ୍ ଗ୍ରୁପ୍, ସ୍କଟ୍ କାଥନିସ୍, ନିର୍ଦେଶକ, ବେଦାନ୍ତ ଗ୍ରୁପ୍, ଏମ୍ ସି ଥୋମାସ, ଅଧ୍ୟକ୍ଷ, ଆଇସିସି ଓଡ଼ିଶା ରାଜ୍ୟ ପରିଷଦ ଓ ସହ- ଅଧ୍ୟକ୍ଷ ଜେ ବି ପାଣି ।

Comments are closed.