Odisha Link
Bridging the Missing Links in Odisha

ଆଇଏଏସ୍ ଅଧିକାରୀଙ୍କୁ ହସ୍ପିଟାଲ ଦାୟିତ୍ୱ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୧୦ ଆଇଏଏସଙ୍କୁ ମେଡିକାଲ କଲେଜ ଓ ହସ୍ପିଟାଲର ତଦାରଖ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ତେବେ ଏହି ତାଲିକାରେ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନିମନ୍ତେ କୌଣସି ଆଇଏଏସଙ୍କୁ ଦାୟିତ୍ୱ ଆବଣ୍ଟନ କରାଯାଇନି। ଏପରିକି ଯେଉଁସବୁ ମେଡିକାଲ କଲେଜ ଏପର୍ଯ୍ୟନ୍ତ ଆରମ୍ଭ ବି ହୋଇନି ତା’ର ଭିତ୍ତିଭୂମି ସୁଧାର, ସାମଗ୍ରିକ ପ୍ରଦର୍ଶନ ଓ ପରିଚାଳନା ତଦାରଖ କରିବା ପାଇଁ ଏହି ଆଇଏଏସମାନଙ୍କୁ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱ ଅର୍ଥ ସଚିବ ଏକେକେ ମୀନାଙ୍କୁ ମିଳିଥିବାବେଳେ, ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର, ବାଲେଶ୍ୱରସ୍ଥିତ ଫକୀର ମୋହନ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର, ଏନଟିପିସି ଦ୍ୱାରା ନିର୍ମିତ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ ଉନ୍ନୟନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି କେନ୍ଦୁଝର, ଯାଜପୁର, କନ୍ଧମାଳ, ପୁରୀ, ଅନୁଗୋଳ, ଭବାନୀପାଟଣାରେ ପ୍ରସ୍ତାବିତ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱ ମଧ୍ୟ ଯଥାକ୍ରମେ ଆଇଏଏସ୍ ଆରକେ ଶର୍ମା,ମୋନା ଶର୍ମା, ନିକୁଞ୍ଜ ବିହାରୀ ଧଳ, କ୍ରିଷନ କୁମାର, ଅନୁ ଗର୍ଗ ଓ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି।

ତେବେ ବଲାଙ୍ଗିରସ୍ଥିତ ସନ୍ଥ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ରିସର୍ଚ୍ଚ, ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ ଓ ହସ୍ପିଟାଲ ଏବଂ କଟକସ୍ଥିତ ଏସସିବି ମେଡିକାଲ କଲେଜ ଦାୟିତ୍ୱ କୌଣସି ଆଇଏଏସଙ୍କୁ ନ୍ୟସ୍ତ ହୋଇନାହିଁ।

Comments are closed.