Odisha Link
Bridging the Missing Links in Odisha

କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ ପ୍ରଜାତିର ମାଛ ମୟୂର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାରେ ଧରାପଡିଲା ବିରଳ ପ୍ରଜାତିର ସାମୁଦ୍ରିକ ମାଛ। କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଅଞ୍ଚଳରେ ଥିବା ଗଭୀର ସମୁଦ୍ରରୁ ଏକ ବିରଳ ପ୍ରଜାତିର ବିଶାଳ ମାଛକୁ ଧରିଛନ୍ତି ଧୀବର ।ମାଛଟି ଦେଖିବାକୁ ଲମ୍ବାଲିଆ ହୋଇଥିବା ବେଳେ ମୁହଁ ଥଣ୍ଟ ଆକୃତିର ହୋଇଛି। ଏହି ମାଛକୁ ‘ମୟୂର ମାଛ’ ବୋଲି କୁହାଯାଉଛି।
ଆଜି ସକାଳେ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ମାଛ ଧରିବାକୁ ବୋଟ୍‌ ନେଇ ଯାଇଥିଲେ। ସେଠାରେ ମଦନ ଦେବନାଥ ନାମକ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛଟି ପଡ଼ିଥିଲା। ଏପରି ମାଛ ପୂର୍ବରୁ କେବେ ଦେଖି ନ ଥିବା ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ କହିଛନ୍ତି।
ମାଛଟିର ମୂଲ୍ୟ କିଲୋ ପ୍ରତି ପ୍ରାୟ ୧୦ ହଜାର ଟଙ୍କା ହେବ। ଏହାର ଓଜନ ୨୦ କେଜି ହୋଇଥିବାରୁ ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ମୂଲଚାଲ ହୋଇଛି। ଦୀଘାରେ ଏହି ମାଛ ବିକ୍ରି କରାଯିବା ନିମନ୍ତେ କଥାବାର୍ତ୍ତା ଶେଷ ହୋଇଥିବା ବେଳେ ଏହାକୁ ଧାମରା ପଠାଇ ଦିଆଯାଇଛି। ସେଠାରୁ ମାଛକୁ ଦୀଘା ପଠାଯିବ ବୋଲି ଜଣାଯାଇଛି। ଖବର ପ୍ରଚାରିତ ହେବା ପରେ ଏହି ମାଛ ଦେଖିବାକୁ ରାଜନଗର ତାଳଚୁଆଠାରେ ଲୋକଙ୍କ ଭିଡ଼ ଜମିଥିଲା।

Comments are closed.