Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ଚାଷୀ କହିଲେ ମୁଁ ହେବି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଲେଖିଲେ ଚିଠି

ମୁମ୍ୱାଇ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଆସି ସାରିଥିଲେ ସୁଦ୍ଧା କିଏ ସରକାର ଗଠନ କରିବେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇ ପାରିନାହିଁ। ବିଜେପି ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ବେଳେ ବିଜେପିର ସହଯୋଗୀ ଶିବସେନା ୫୦:୫୦ ଫର୍ମୂଲାକୁ ନେଇ ଅଡ଼ି ବସିଛି। ଯାହାରି ଫଳରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ସହଯୋଗୀ ଦଳ ବିଜେପି-ଶିବସେନା ମଧ୍ୟରେ ବିବାଦର ସମାଧାନ ହୋଇନାହିଁ। ତେଣୁ ମହାରାଷ୍ଟ୍ରରେ ସରକାର ଗଢ଼ିବା ବିଳମ୍ୱ ହେବ ବୋଲି ଜଣାପଡ଼ିଛି। ଏସବୁ ମଧ୍ୟରେ ଚର୍ଚ୍ଚାରେ ଜଣେ ଚାଷୀ। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପାଇଁ ଇଚ୍ଛା କରିଛନ୍ତି। ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ଚାଷୀ ଶ୍ରୀକାନ୍ତ ବି ଗଦଲେ ମୁଖ୍ୟମନ୍ତ୍ରୀ ହେବାକୁ ନିଜର ଇଚ୍ଛା ଜାହିର କରିଛନ୍ତି। ଏ ନେଇ ମହାରାଷ୍ଚ୍ର ରାଜ୍ୟପାଳଙ୍କୁ ସେ ମଧ୍ୟ ଏକ ଚିଠି ଲେଖିଛନ୍ତି।

ରାଜ୍ୟପାଳଙ୍କୁ ଶ୍ରୀକାନ୍ତ ଲେଖିଥିବା ଚିଠିରେ କହିଛନ୍ତି, ‘ଯେତେଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ, ସେପର୍ଯ୍ୟନ୍ତ ମୋତେ ମୁଖ୍ୟମନ୍ତ୍ରୀ କରାଯାଉ। ନିକଟରେ ଲଗାଣ ବର୍ଷା ପାଇଁ ଫସଲ ନଷ୍ଟ ହୋଇଯାଇଛି। ଏଥିପାଇଁ ଚାଷୀ ଜଟିଳ ସ୍ଥିତି ଦେଇ ଗତି କରୁଛନ୍ତି। ରାଜ୍ୟରେ ଶୀଘ୍ର ଏକ ସରକାରର ଆବଶ୍ୟକତା ରହିଛି’।

ସୂଚନାଥାଉକି, ଅକ୍ଚୋବର ୨୧ରେ ଭୋଟ ହୋଇ ୨୪ରେ ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ବିଜେପି ୧୦୫ଟି ଆସନ, ଶିବସେନା ୫୬, ଏନସିପି ୫୪, କଂଗ୍ରେସ ୪୪ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ମିଶି ୨୯ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୧୪୬ ରହିଛି ମ୍ୟାଜିକ ନମ୍ୱର। ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିଜେପି-ଶିବସେନା ମଧ୍ୟରେ ବିବାଦ ବଢ଼ିଛି। ଏହାରି ଭିତରେ ଶିବସେନା ଏନସିପି-କଂଗ୍ରେସ ସହ ମିଶି ସରକାର ଗଢ଼ିବ ବୋଲି ଚିନ୍ତା କରୁଥିବା ଜଣାପଡ଼ିଛି।

Comments are closed.